୧୩ରେ ବାଚସ୍ପତି ନିର୍ବାଚନ, ଶୁକ୍ରବାର ପ୍ରାର୍ଥୀପତ୍ର ଦାଖଲ
ଭୁବନେଶ୍ୱର : ଆଗାମୀ ଜୁନ୍ ୧୩ ତାରିଖରେ ବାଚସ୍ପତି ନିର୍ବାଚନ ହେବ । ଏନେଇ ଶୁକ୍ରବାର ଦିନ ପ୍ରାର୍ଥୀପତ୍ର ଦାଖଲ ହେବ । ବିଧାନସଭା ସଚିବାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏପଟେ ଶାସକ ଦଳ ପକ୍ଷରୁ କାହାକୁ ବାଚସ୍ପତି ପ୍ରାର୍ଥୀ କରାଯିବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ବରିଷ୍ଠ ବିଧାୟକ ବିକ୍ରମ କେଶରୀ ଆରୁଖ ବାଚସ୍ପତି ପ୍ରାର୍ଥୀ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି । ଆରୁଖ ଶନିବାର ଦିନ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି ।
ଉଲ୍ଲେଖନୀୟ ଯେ, ସୂର୍ଯ୍ୟ ନାରାୟଣ ପାତ୍ର ଶନିବାର ଦିନ ବାଚସ୍ପତି ପଦବିରୁ ଇସ୍ତଫା ଦେବା ପରେ ପଦ ଖାଲି ପଡ଼ିଛି । ତାଙ୍କ ପରିବାର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଶ୍ରୀ ପାତ୍ର କିଡ୍ନି ରୋଗରେ ସଂକ୍ରମିତ ହୋଇ ଗତ ୧୪ ଦିନ ହେଲା ସମ୍ ଅଲ୍ଟିମେଟ୍ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କ ବାମ ଆଖିରେ ମଧ୍ୟ ବାକ୍ଟେରିଆ ସଂକ୍ରମଣ ହୋଇଛି । ଅସୁସ୍ଥତା ଯୋଗୁ ସେ ନିଜ ପଦବିରୁ ଇସ୍ତଫା ଦେଇଛନ୍ତି । ଆଉ କୌଣସି ସରକାରୀ ଦାୟିତ୍ୱ ନେବେନି ବୋଲି ସେ ଜଣାଇ ଦେଇଛନ୍ତି ।
