କୃଷି କନକ୍ଲେଭରେ ଯୋଗଦେବେ ଦେଶର ନାମୀଦାମୀ ୬୯ଟି ସଂସ୍ଥା
ଭୁବନେଶ୍ୱର : ଆସନ୍ତା ଅକ୍ଟୋବର ୮ ତାରିଖରେ ଲୋକସେବା ଭବନସ୍ଥିତ ନୂତନ କନ୍ଭେନ୍ସନ୍ ହଲ୍ ଠାରେ ଆୟୋଜିତ ହେବାକୁ ଥିବା ଏକ ଦିବସୀୟ ଓଡ଼ିଶା କୃଷି କନ୍କ୍ଲେଭ୍ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି । ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତିର ଅଗ୍ରଗତି ସଂପର୍କରେ ଏକ ସମୀକ୍ଷା ବୈଠକ ଆୟୋଜିତ ହୋଇଛି ।
କୃଷି ଓ କୃଷକ ସଶକ୍ତିକରଣ ବିଭାଗ କମିଶନର ତଥା ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ପ୍ରସ୍ତୁତି ନେଇ କହିଥିଲେ ପ୍ରତିନିଧିମାନଙ୍କୁ ବିମାନବନ୍ଦରଠାରେ ସ୍ୱାଗତ ଜଣାଇବା ପାଇଁ ସୁଦୃଶ୍ୟ ତୋରଣର ନିର୍ମାଣ କରାଯିବ । ଇ-ନିମନ୍ତ୍ରଣ, ଲୋଗୋ, ପୁସ୍ତିକା, ପଞ୍ଜୀକରଣ ପୋର୍ଟାଲ ସୃଷ୍ଟି ହୋଇସାରିଥିବାବେଳେ ଖବରକାଗଜରେ ଆକର୍ଷଣୀୟ ବିଜ୍ଞାପନ ତିନିଦିନ ଧରି ପ୍ରକାଶ କରିବାକୁ ଆଜିର ବୈଠକରେ ନିଷ୍ପତି ନିଆଯାଇଥିଲା । କନ୍କ୍ଲେଭ୍ ରେ ସମୁଦାୟ ୫ଟି ସେସନ୍ ରହିବ ଏବଂ ଏଥିରେ କୃଷି ସଂପର୍କିତ ବିଭିନ୍ନ ବିଷୟରେ ଆଲୋଚନା କରାଯିବ । ଅତିଥି ପ୍ରତିନିଧିମାନେ ଦେଶରେ ତାଙ୍କର ପ୍ରଦର୍ଶନର ବିବରଣୀ ଉପସ୍ଥାପନ ସହିତ ଓଡ଼ିଶାରେ କି ଧରଣର କାର୍ଯ୍ୟ କରିବାକୁ ଯୋଜନା କରିଛନ୍ତି ତା’ର ରୂପରେଖ ପ୍ରଦର୍ଶନ କରିବେ । ବର୍ତମାନ ସୁଦ୍ଧା ଦେଶର ୬୯ଟି ସଂସ୍ଥାର ମୁଖ୍ୟ ତଥା ପ୍ରତିନିଧି ଯୋଗଦେବେ ବୋଲି ପ୍ରାରମ୍ଭିକ ଭାବେ ଜଣାପଡ଼ିଛି । ଆଜିର ବୈଠକ ରେ ଅନ୍ୟମାନ ଙ୍କ ମଧ୍ୟରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ସଚିବ ଆର. ରଘୁପ୍ରସାଦ, କୃଷି ନିର୍ଦ୍ଦେଶକ ଡ. ଏମ୍. ମୁଥୁକୁମାର, ଓଏଲ୍ଏମ୍ ର ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତୀ ମାନସୀ ନିମ୍ବାଲ, କୃଷି ବିଭାଗ ସ୍ୱତନ୍ତ୍ର ସଚିବ ମନ୍ମଥ କୁମାର ପାଣି, ମାର୍କଫେଡ଼୍ ର ପରିଚାଳନା ନିର୍ଦ୍ଦେଶକ ସନ୍ତୋଷ କୁମାର ଦାଶ, ନାଫେଡ଼୍ ରାଜ୍ୟ ମୁଖ୍ୟ ଶ୍ରୀମତୀ ଭବ୍ୟା ଆନନ୍ଦ, ଇନ୍ଭେଷ୍ଟ ଓଡ଼ିଶାର ପରିଚାଳନା ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ, ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ ଲେଙ୍କା ପ୍ରମୁଖ ଯୋଗଦେଇଥିଲେ ।
