ଅଂଶୁଘାତରେ କାହାର ମୃତ୍ୟୁ ହୋଇ ନାହିଁ : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର : ରାଜ୍ୟରେ ଖରାର ପ୍ରକୋପ ବଢୁଛି । ହେଲେ ବର୍ତମାନ ସୁଦ୍ଧା ରାଜ୍ୟରେ ଅଂଶୁଘାତରେ କାହାର ମୃତ୍ୟୁ ଘଟି ନାହିଁ । ତେବେ ଖରାର ପ୍ରକୋପ ବଢୁଥିବାରୁ ସମସ୍େସ ସତର୍କ ରହିବା ଉଚିତ । ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଏହା କହିଛନ୍ତି ।
ସେ କହିଛନ୍ତି ଯେ, ଏହି ସମୟରେ ତାପମାତ୍ରା ବଢିଥାଏ ଏବଂ ଆଗକୁ ମଧ୍ୟ ବଢ଼ିବ ବୋଲି ପୂର୍ବାନୁମାନ ରହିଛି । ତେଣୁ ଏହାକୁ ନେଇ ଲୋକଙ୍କୁ ସଚେତନ କରାଯାଉଛି । ଖରାବେଳେ ଘରୁ ବାହାରନ୍ତୁ ନାହିଁ । ଖରା ସମୟରେ କାମ ବନ୍ଦ ରଖନ୍ତୁ । ପିଇବା ପାଣି, ଛତା ଓ ଓଦା କପଡ଼ା ମୁଣ୍ଡରେ ରଖିବା ଉଚିତ୍ ବୋଲି ସେ କହିଛନ୍ତି । ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଔଷଧ ଓ ଶଯ୍ୟା ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ହସ୍ପିଟାଲରେ ଏୟାର କୁଲର , ଫ୍ୟାନ ପ୍ରସ୍ତୁତ କରି ରଖାଯାଇଛି ।
