ରାଷ୍ଟ୍ରପତି ପାର୍ଥୀ ହେବାକୁ ଚିନ୍ତା କରିନି : ନୀତିଶ କୁମାର
ନୂଆଦିଲ୍ଲୀ : ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଚଳିତବର୍ଷ ଅବସର ନେବେ । ସାମ୍ବିଧାନିକ ସ୍ୱୀକୃତିପ୍ରାପ୍ତ ଏହି ସର୍ବୋଚ୍ଚ ଆସନରେ କିଏ ଅଭିଷିକ୍ତ ହେବେ ତାକୁ ନେଇ ଏବେଠାରୁ ଅଙ୍କକଷା ଆରମ୍ଭ ହୋଇଗଲାଣି। ତେବେ ରାଷ୍ଟ୍ରପତି ପାର୍ଥୀଙ୍କୁ ନେଇ ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନ୍ସିପି ନେତା ନୱାବ ମଲ୍ଲିକ ଏକ ରୋଚକ ବୟାନ ଦେଇଛନ୍ତି ।
ସେ କହିଛନ୍ତି ଯେ ନୀତିଶୀ ବିଜେପି ସହ ସବୁ ସଂପର୍କ ତୁଟାଇଲେ ତାଙ୍କୁ ରାଷ୍ଟ୍ରପତି ପାର୍ଥୀ କରାଯିବ। ତେବେ ଏ ସଂପର୍କରେ ସମସ୍ତ ବିରୋଧୀ ଦଳ ମିଳିତ ନିଷ୍ପତି ନେବେ ବୋଲି ସେ କହିଛନ୍ତି । ସେହିପରି ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ବିରୋଧୀ ତୃତୀୟ ସାମ୍ମୁଖ୍ୟ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏଥିପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ , ପଶ୍ଚିମବଙ୍ଗର ମମତା ବାନାର୍ଜୀଙ୍କ ସହ ମହାବିକାଶ ଅଘାଡ଼ି ସହ ମିଳିତ ଆଲୋଚନା ହୋଇଛି। ନୱାବ ମଲ୍ଲିକ ଦେଇଥିବା ବୟାନକୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ଦୃଢ ଭାବେ ଖଣ୍ଡନ କରିଛନ୍ତି । ଏଭଳି କେବେ ବି ମୁଁ ଚିନ୍ତା କରିନି ଏବଂ ଏହା ଏକ ଅନାବଶ୍ୟକ ଚର୍ଚ୍ଚା ବୋଲି ନୀତିଶ କହିଛନ୍ତି ।
