ନୂଆବର୍ଷ ପାଇଁ ଶ୍ରୀମନ୍ଦିରରେ ନୂଆ ନିୟମ, ଜାଣନ୍ତୁ କେତେବେଳେ କରିପାରିବେ ମହାପ୍ରଭୁଙ୍କ ଦର୍ଶନ
ପୁରୀ : ଆଉ ମାତ୍ର ଦିନକ ପରେ ନୂଆବର୍ଷ । ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆବର୍ଷକୁ ସ୍ୱାଗତ କରିବାକୁ ସମସ୍ତେ ଚାହିଁରହିଛନ୍ତି। ଏନେଇ ଶ୍ରୀମନ୍ଦିରରେ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୋଲିସର ମିଳିତ ପ୍ରସ୍ତୁତି ଆରମ୍ଭ ହୋଇଛି। ତେବେ ବଡ଼ଦିନଠାରୁ ଶ୍ରୀକ୍ଷେତ୍ରରେ ପର୍ଯ୍ୟଟକ ତଥା ଭକ୍ତଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଲାଣି। ଏହାକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା ପାଇଁ ନିଷ୍ପତ୍ତି ମଧ୍ୟ ନିଆଯାଇଛି । ତେବେ ଭକ୍ତ ମାନେ କେଉଁ ସମୟରେ ମହାବାହୁଙ୍କୁ ଦର୍ଶନ କରିପାରିବେ ସେନେଇ ମଧ୍ୟ ଏକ ନୂଆ ସମୟ ନିର୍ଦ୍ଧାରଣ କରାଯାଇଛି।
୩୧ ତାରିଖ ପହୁଡ଼ ପରେ ପରେ ରାତି ୧ରୁ ଶ୍ରୀମନ୍ଦିର ଦ୍ବାରଫିଟା ନୀତି ହେବ
ଏହା ପରେ ଅନ୍ୟାନ୍ୟ ନୀତିକାନ୍ତି ସହ ଭକ୍ତଙ୍କୁ ଦର୍ଶନ ସୁଯୋଗ ଦେବାକୁ ନିଷ୍ପତ୍ତି ହୋଇଛି
ସେପଟେ ଭକ୍ତଙ୍କ ପାଇଁ ସିଂହଦ୍ବାରରୁ ମାର୍କେଟ୍ ଛକ ପର୍ଯ୍ୟନ୍ତ ଖାଦ୍ୟ ଓ ପିଇବା ପାଣିର ବ୍ୟବସ୍ଥା କରାଯାଇଛି
ସିଂହଦ୍ବାରରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ସେଡ୍ ହେବ
ସେପଟେ ସର୍ବସାଧାରଣ ଦର୍ଶନ ପାଇଁ ଥିବା ସେଡ୍କୁ ବା ପର୍ଯ୍ୟାୟକୁ ସଂପ୍ରସାରଣ କରାଯିବ
ମାର୍କେଟ୍ ଛକରେ ଏକ ଅସ୍ଥାୟୀ ଜୋତାଷ୍ଟାଣ୍ଡ ବି କରାଯିବ
ସେଡ୍ରେ ପିଇବା ପାଣି ବ୍ୟବସ୍ଥା କରାଯିବ, ନୀତିକାନ୍ତି ଜାଣିବା ପାଇଁ ଏଲ୍ଇଡି ଲଗାଯିବ
ଭକ୍ତ ତଥା ପର୍ଯ୍ୟଟକମାନେ ଜଗନ୍ନାଥବଲ୍ଲଭ, ଶରଧାବାଲି, ଏସ୍ସିଏସ କଲେଜ ଛକରେ ପାର୍କିଂ କରିପାରିବେ
ସେହିପରି ବାରବାଟୀ ଜାଗା, ଲୋକନାଥ ରୋଡ୍ରେ ଗାଡ଼ି ପାର୍କିଂ କରିବେ
ଏହି ଜାଗାରେ ଗାଡ଼ି ରଖିବାକୁ ଜାଗା ନ ହେଲେ ତାଳବଣିଆକୁ ଅତିରିକ୍ତ ଗାଡ଼ିକୁ ପାର୍କିଂ ପାଇଁ ପଠାଯିବ
ପ୍ରଶାସନର ଏହି ପାର୍କିଂ ଜାଗାରେ ପର୍ଯ୍ୟଟକମାନେ ମାଗଣାରେ ଗାଡ଼ି ରଖିପାରିବେ
ଡିସେମ୍ବର ୩୧ ଶନିବାର, ଜାନୁୟାରୀ ୧ ରବିବାର ଓ ୨ ତାରିଖ ସୋମବାର ଏହି ୩ ଦିନ ସିଂହଦ୍ବାରରୁ ମାର୍କେଟ୍ ଛକ ପର୍ଯ୍ୟନ୍ତ ସମସ୍ତ ଉଠା ଦୋକାନୀଙ୍କୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଅଞ୍ଚଳକୁ ନୋ ଭେଣ୍ଡିଂ ଜୋନ୍ କରିବାକୁ ନିଷ୍ପତ୍ତି ହୋଇଛି। ସେପଟେ ଶ୍ରୀମନ୍ଦିର ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଥିବା ଏସ୍ପି ବିଶାଲ ସିଂ କହିଛନ୍ତି। ସେହିଭଳି ଟ୍ରାଫିକ ବ୍ୟବସ୍ଥା ଓ ବେଳାଭୂମି ଭିଡ଼ ଉପରେ ବି ସ୍ବତନ୍ତ୍ର ନଜର ରଖାଯାଇଥିବା ସେ କହିଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ପାଇଁ ନିୟୋଜିତ ଭାରିଯାନର ଚଳାଚଳ ୩୧ ତାରିଖରୁ ୨ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ତେବେ ନୂଆବର୍ଷ ଦର୍ଶନ ନେଇ ହୋଇଥିବା ବିସ୍ତୃତ ଆଲୋଚନା ପରେ ଡିସେମ୍ବର ୩୧ ତାରିଖ ପୂର୍ବରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଛି।
ବାକି ପୌରସଂସ୍ଥାର ଯେଉଁ ପାର୍କିଂ ଜାଗା ରହିଛି, ସେଠାରେ ଦର ତାଲିକା ଲଗାଯିବ। କେଉଁ ଗାଡ଼ି ବାବଦକୁ କେତେ ଟଙ୍କା ଆଦାୟ ହେବ, ସେହି ଦର ତାଲିକା ପାର୍କିଂ ଜାଗାରେ ସ୍ପଷ୍ଟ ଦୃଶ୍ୟମାନ ହେଲା ଭଳି ଲଗାଯିବ। ଅନ୍ୟପଟେ ପୂର୍ବ ନିଷ୍ପତ୍ତି ଅନୁଯାୟୀ ନୂଆବର୍ଷ ଠାରୁ ସେବାୟତ ମାନେ ଆଉ ମୋବାଇଲ ବ୍ୟବହାର କରିପାରିବେ ନାହିଁ। ତେବେ ଶ୍ରୀମନ୍ଦିରର ସିଂହଦ୍ୱାର ଓ ଦକ୍ଷିଣ ଦ୍ୱାର ନିକଟରେ ହୋଇଥିବା ଦୁଇଟି କେନ୍ଦ୍ରରେ ମୋବାଇଲ ଜମା ଦେଇ ମନ୍ଦିରକୁ ପ୍ରବେଶ କରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପୂର୍ବରୁ ସୂଚନା ଦେଇଥିଲେ।
