ବିଦାୟ ୨୨ ସ୍ୱାଗତ ୨୩ କୁ ନେଇ ଶ୍ରୀମନ୍ଦିରରେ ଲକ୍ଷାଧିକ ଭକ୍ତ ଉଠାଦୋକାନ ବନ୍ଦ ଯୋଗୁ ପର୍ଯ୍ୟଟକ ହନ୍ତସନ୍ତ
ପୁୁରୀ : ବହୁ ଚର୍ଚ୍ଚିତ ବର୍ଷ ୨୦୨୨ ଶେଷ ହୋଇଛି । ନୂଆ ଆଶା, ନୂଆ ଚିନ୍ତାକୁ ନେଇ ୨୦୨୩ ତାର ପ୍ରଥମ ପାଦ ଥାପି ଚାଲି ଅଗ୍ରସର ହେବ । ଇଂରାଜୀ ନୂଆବର୍ଷକୁ ନେଇ ହଜାର ହଜାର ଜନତା ମସଗୁଲ ହେଉଛନ୍ତି । ପୁରୁଣା ବର୍ଷର ବିଦାୟ ଉପଲକ୍ଷେ ଓ ନୂତନ ବର୍ଷ ସ୍ୱାଗତ ପାଇଁ ଲକ୍ଷ ଲକ୍ଷ ଭକ୍ତ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ସମସ୍ତ ଉଠାଦୋକନି ୩୧ ଓ ୧ ତାରିଖ ଦୁଇଦିନ ବନ୍ଦ କରାଯାଇଛି । ଏହି ବନ୍ଦକୁ ନେଇ ଅନେକ ପ୍ରତିକ୍ରିୟା ପ୍ରକାଶ ପାଇଛି । ମାର୍କେଟ ଛକ ଠାରୁ ଶ୍ରୀନଅର ପର୍ଯ୍ୟନ୍ତ ୨୦ଫୁଟ ଓସାର ବ୍ୟାରିକେଡ଼ କରାଯାଇଛି । ସୂର୍ଯ୍ୟ ତାପରୁ ରକ୍ଷା ପାଇବା ପାଇଁ ଅସ୍ଥାୟୀ ଟେଣ୍ଡ କରାଯିବା ସହ ଦିବ୍ୟାଙ୍ଗ,ବରିଷ୍ଠ ନାଗରିକ ଓ ସ୍ଲୁଲ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ୨୦୨୩ର ପ୍ରଥମ ସୂର୍ଯ୍ୟ ଦର୍ଶନ ପାଇଁ ରାତିରୁ ଶ୍ରଦ୍ଧାଳୁମାନେ ସମୁଦ୍ରକୂଳେ ଅପେକ୍ଷାରତ ଅଛନ୍ତି । ପ୍ରଥମ ସୂର୍ଯ୍ୟ ଦେବ ଦର୍ଶନ ପରେ ମହାପ୍ରଭୁଙ୍କୁ ଦର୍ଶନ କରି ୨୦୨୩ ପଥରେ ଅଗ୍ରସର ହେବେ । ଭକ୍ତ ଦର୍ଶନ ଦୃଷ୍ଟିରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସଅଳ ନୀତି କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପ୍ରାୟ ରାତି ୧ଟାରୁ ଦ୍ୱାରଫିଟା ଯାଇ ନୀତି ନିର୍ଘଂଟ ଅନୁଯାୟୀ ନୀତି ସମାପନ କରାଯିବ । ଗତ ଦୁଇବର୍ଷ ଧରି କରୋନା କଟକଣା ଯୋଗୁ ନୂଆବର୍ଷ ଫିକା ପଡ଼ିଥିବା ବେଳେ ଚଳିତବର୍ଷ ଶ୍ରୀମନ୍ଦିର ଖୋଲା ଥିବାରୁ ଅଧିକ ଭକ୍ତ ଦର୍ଶନ ପାଇବା ଆସିବା ଆଶଙ୍କା କରାଯାଇଛି । ବଡ଼ଦାଣ୍ଡରେ ଦୋକାନ ବଜାର ବନ୍ଦ ଯୋଗୁଁ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀମାନେ ସାମଗ୍ରୀ କିଣିବା ଓ ଚା,ଜଳଖିଆ ଖାଇବାରେ ବାଧା ସୃଷ୍ଟି ହୋଇଛି । ନୂଆବର୍ଷକୁ ଆଶକରି ଉଠାଦୋକାନିମାନେ ବେପାର କରି ଦୁଇ ପଇସା ରୋଜଗାର ପାଇଁ ଯେଉଁ ଆଶା ବାନ୍ଧିଥିଲେ ତାହା ଧୂଳିସାତ ହୋଇଛି । ଦୁଇ ଦିନରେ ପ୍ରାୟ ୬ଲକ୍ଷ ଭକ୍ତ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପାଇଁ ଆସିବା ଆଶ କରାଯାଉଛି । ଦର୍ଶନର୍ଥୀଙ୍କ ଭିଡ଼କୁ କିପରି କଂଟ୍ରୋଲ କରାଯିବ ସେଥିପାଇଁ ପୋଲିସ ପ୍ରଶାସାନର ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସମୁଦ୍ରକୂଳେ କେତେକ ହୋଟେଲରେ ଜିରୋ ନାଇଟ ସେଲିବ୍ରେସନ ପାଇଁ ଶନିବାରୁ ଠାରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ନୂଆବର୍ଷରେ ମହଦୋଧିରେ ପ୍ରଥମ ସ୍ଥାନ ପାଇଁ ପ୍ରବଳ ଗହଳି ହେବାର ସମ୍ଭାବନା ରହିଛି । ସେଥିପାଇଁ ଅଧିକ ସଂଖ୍ୟକ ଲାଇଫଗାର୍ଡ଼ ଓ ପୋଲିସ ବ୍ୟବସ୍ଥା କରାଯାଇଛି । ସମୁଦ୍ରକୂଳ ହୋଟେଲ ଗୁଡ଼ିକୁ ଜିଲ୍ଲାପ୍ରଶାସନ ପକ୍ଷରୁ ସଚେତନତା କରାଯାଇଛି । ଯେଭଳି କୌଣସି ଯାତ୍ରୀ ସମୁଦ୍ରସ୍ନାନରେ ବୁଡ଼ି ନଯାନ୍ତି ସେଥିପ୍ରତି ହୋଟେଲ ପ୍ରଶାସନ ପକ୍ଷରୁ ସତର୍କତା କରାଯାଇଛି । ନୂଆବର୍ଷ ନୂଆଆଶା ନେଇ ଭକ୍ତ ଛୁଟି ଆସୁଛନ୍ତି ଶ୍ରୀକ୍ଷେତ୍ରକୁ ।
