ଆଜି ଶ୍ରୀମନ୍ଦିର ଦର୍ଶନକୁ ନେଇ ଆସିବ ନୂଆ ଏସ୍ଓପି
ପୁରୀ : ମହାମାରୀ କରୋନା ସଂକ୍ରମଣ କମିବାରୁ ଦୀର୍ଘଦିନର ବ୍ୟବଧାନ ପରେ ସର୍ବସାଧାରଣ ଦର୍ଶନ ପାଇଁ ଖୋଲିଛି ଶ୍ରୀମନ୍ଦିର । ତେବେ ଶ୍ରୀମନ୍ଦିରରେ ଚାଲିଥିବା ଦର୍ଶନ ବ୍ୟବସ୍ଥା ନେଇ ଆଜି ସମୀକ୍ଷା କରାଯିବ। ବୈଠକରେ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯିବ ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଆଜି ସମୀକ୍ଷା ବୈଠକ ବସିବ । ନୂଆ ନିୟମ ସହ ଦର୍ଶନ ବ୍ୟବସ୍ଥାକୁ ଅଧିକ କୋହଳ କରାଯାଇପାରେ ବୋଲି ଆଶା କରାଯାଉଛି । ସପ୍ତାହାନ୍ତ ସଟଡାଉନ୍ ଯୋଗୁ ଶନିବାର ଓ ରବିବାର ଦର୍ଶନ ବନ୍ଦ ରହୁଥିବା ବେଳେ ରାଜ୍ୟ ସରକାରଙ୍କ ସେପ୍ଟେମ୍ବର ଗାଇଡଲାଇନରେ ସପ୍ତାହାନ୍ତ ସଟଡାଉନକୁ ହଟାଇ ଦିଆଯାଇଛି । ତେଣୁ ଶନିବାର ଓ ରବିବାର ଶ୍ରୀମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନିଆଯାଇପାରେ । ଦର୍ଶନ ସମୟରେ ମଧ୍ୟ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ସନ୍ଧ୍ୟା ୭ଟା ବଦଳରେ ରାତି ୯ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲିପାରେ ବୋଲି ଆଶା କରାଯାଉଛି । ବଳବତ୍ତର ଏସ୍ଓପି ଅନୁଯାୟୀ, ଭକ୍ତମାନେ ସପ୍ତାହକୁ ୫ ଦିନ ମହାପ୍ରଭୁଙ୍କ ଦର୍ଶନ ସୁଯୋଗ ପାଉଛନ୍ତି। ସଂକ୍ରମଣକୁ ଦୃଷ୍ଟିରେ ରଖି ଶନିବାର ଓ ରବିବାର ଦର୍ଶନ ବନ୍ଦ ରଖାଯାଇଛି। ସେପଟେ ଭିଡ଼କୁ ନଜରରେ ରଖି ସ୍ବତନ୍ତ୍ର ପର୍ବପର୍ବାଣୀରେ ବି ଦର୍ଶନ କଟକଣା ଲଗାଯାଇଛି। ଭକ୍ତମାନେ ସକାଳ ୭ଟାରୁ ରାତି ୭ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି।
