ପ୍ରକାଶ ପାଇଲା ନିଟ୍ ପ୍ରବେଶିକା ପରୀକ୍ଷାଫଳ : ୧ ନମ୍ବର ରାଙ୍କରେ ୩ ଛାତ୍ର
ନୂଆଦିଲ୍ଲୀ : ପ୍ରକାଶ ପାଇଲା ମେଡିକାଲ୍ ପ୍ରବେଶିକା ପରୀକ୍ଷା ‘ନିଟ୍-୨୦୨୧’ ଫଳ। ଦେଶରେ ଏମ୍ବିଏସ ପାଠ୍ୟକ୍ରମରେ ନାମଲେଖାଇବାକୁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଦ୍ବାରା ପରିଚାଳିତ ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା(ନିଟ୍) ୨୦୨୧ ପରୀକ୍ଷାଫଳ ସୋମବାର ରାତିରେ ପ୍ରକାଶ ପାଇଛି। ପରୀକ୍ଷାଫଳ ପ୍ରକାଶ ସହିତ ଚୂଡ଼ାନ୍ତ ଉତ୍ତର କି’ ମଧ୍ୟ ପ୍ରକାଶ କରାଯାଇଛି। ଦେଶରେ ରେକର୍ଡ ସଂଖ୍ୟକ ୧୬.୧୪ଲକ୍ଷ ଛାତ୍ରଛାତ୍ରୀ ଏହି ପ୍ରବେଶିକା ପରୀକ୍ଷା ପାଇଁ ନାମ ପଞ୍ଜୀକରଣ କରିଥିଲେ। ନିଟ୍ ପରୀକ୍ଷା ଫଳ neet.nta.nic.in ଓ ntaresults.ac.in. ୱେବସାଇଟରେ ଉପଲବ୍ଧ ହେଉଥିବା ବେଳେ ପରୀକ୍ଷାର୍ଥୀଙ୍କ ଫଳାଫଳ ସେମାନଙ୍କୁ ଇମେଲ୍ ଯୋଗେ ପଠାଇ ଦିଆଯାଇଛି।
ତିନି ଜଣ ଛାତ୍ର ସର୍ବଭାରତୀୟସ୍ତରରେ ୧ ନମ୍ବର ସ୍ଥାନରେ ରହିଛନ୍ତି। ସେମାନେ ହେଲେ ତେଲେଙ୍ଗାନାର ମୃଣାଳ କୁଟ୍ଟେରି, ଦିଲ୍ଲୀର ତନ୍ମୟ ଗୁପ୍ତା ଓ ମହାରାଷ୍ଟ୍ରର କାର୍ତ୍ତିକ ଜି ନାୟାର । ଏହି ତିନି ଜଣ ୭୨୦ରୁ ୭୨୦ ନମ୍ବର ରଖିଛନ୍ତି। ସେହିପରି ସର୍ବଭାରତୀୟ ସ୍ତରରେ ୭୫ତମ ସ୍ଥାନ ହାସଲ କରିଥିବା ନେକ୍ତନ ସ୍ବାତୀ ଶ୍ରବଣ ମିଶ୍ର ଓଡ଼ିଶା ଟପ୍ପର ହୋଇଥିବା ସୂଚନା ହସ୍ତଗତ ହୋଇଛି। ସେ ଭୁବନେଶ୍ବରସ୍ଥିତ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲର ଛାତ୍ର ବୋଲି ସୂଚନା ରହିଛି। ସୂଚନା ଯେ, ଏନଇଇଟି-୨୦୨୧ ପ୍ରବେଶିକା ପରୀକ୍ଷା ସେପ୍ଟେମ୍ବର ୧୨ରେ ଅନୁଷ୍ଠିତ ହୋଇଥିଲା। ଏହି ପ୍ରବେଶିକା ପରୀକ୍ଷା ଦେଶର ୧୬ଲକ୍ଷ ଛାତ୍ରଛାତ୍ରୀ ଦେଇଥିଲେ।
