କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ବାନ୍ଦ୍ରାରେ ଏନ୍ସିବିର ଚଢାଉ
ମୁମ୍ବାଇ : କ୍ରୁଜ ପାର୍ଟି ମାମଲାରେ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ(ଏନ୍ସିବି)ଶନିବାର ଦିନ ବାନ୍ଦ୍ରାର ୩ ଟି ସ୍ଥାନରେ ଚଢାଉ କରିଛି । ସେହିପରି ବ୍ରାନ୍ଦ୍ରାସ୍ଥିତ ଏକ ହୋଟେଲରେ ମଧ୍ୟ ଏନ୍ସିବିର ଅଧିକାରୀ ଚଢାଉ କରିଛନ୍ତି । ଏନ୍ସିବିର ଜୋନାଲ୍ ଡାଇରେକ୍ଟର ସମୀର ୱାଙ୍ଖଡ଼େ ସାମ୍ବାଦିକଙ୍କୁ କହିଛନ୍ତି ଯେ କ୍ରୁଜ୍ ଡ୍ରଗ୍ ପାର୍ଟି ମାମଲା ତଥା ଏହାପୂର୍ବର ମାମଲାରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏବେ ଯାଂଚ ଜାରି ଅଛି, ଏଥିପାଇଁ ଏ ସମ୍ବନ୍ଧରେ କିଛି କୁହାଯାଇ ପାରିବ ନାହିଁ ।
ଉଲ୍ଲେଖନୀୟ ଯେ ଏନ୍ସିବି ଦୁଇ ଅକ୍ଟୋବରରେ କୋର୍ଡ଼ିଲିୟା ଜାହାଜରେ ଚଢାଉ କରିଥଲା ଏବଂ ଏହି ମାମଲାରେ ଏବେ ପର୍ଯ୍ୟନ୍ତ ୨୦ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଫିଲ୍ମ ଅଭିନେତା ଶାହାରୁଖ ଖାନ୍ଙ୍କ ପୁଅ ଆର୍ଯ୍ୟନ ଖାନ୍ ମଧ୍ୟ ଅଛନ୍ତି । ଆର୍ଯ୍ୟନ ଖାନ୍ଙ୍କ ମୋବାଇଲ୍ ଯାଂଚ ଆଧାରରେ ଏନ୍ସିବି ଫିଲ୍ମ ଅଭିନେତା ଅନନ୍ୟା ପାଣ୍ଡେଙ୍କୁ ଏବେ ପର୍ଯ୍ୟନ୍ତ ଦୁଇଥର ପଚରା ଉଚୁରା କରିସାରିଛି ଏବଂ ସୋମବାରକୁ ଅନନ୍ୟାଙ୍କୁ ପୁଣି ପଚରା ଉଚୁରା କରିବ । ଏନ୍ସିବି ଶନିବାର ଅନନ୍ୟା ପାଣ୍ଡେଙ୍କ ମୋବାଇଲ୍ ଏବଂ ଲ୍ୟାପ୍ଟପ୍ ଫୋରେନ୍ସିକ୍ ଯାଂଚ ପାଇଁ ପଠାଇଛି ।
