ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ
କଟକ : ଓଡିଶା ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ-୨୦୨୨ ସମ୍ମିଳିତ ଭାବେ ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡ. ଭବାନୀ ଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ୧୯୯୯ ମସିହା ମହାବାତ୍ୟା ପରଠାରୁ ରାଜ୍ୟ ସରକାର ସ୍ୱତନ୍ତ୍ର ଭାବେ ଓଡିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସଂସ୍ଥା ସ୍ଥାପନ କରି ବାତ୍ୟା, ବନ୍ୟା, ମରୁଡି, ସୁନାମୀ ଆଦି ପ୍ରାକୃତିକ ବିପର୍ଯ୍ୟର ସଫଳ ମୁକାବିଲା କରିବା ନିମନ୍ତେ ସୁଦୃଢ ଭିତ୍ତିଭୂମି ପ୍ରସ୍ତୁତ କରିଆସୁଛନ୍ତି । ଗ୍ରାମାଂଚଳରେ ବହୁମୁଖୀ ବନ୍ୟା, ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରି ବାତ୍ୟା ବନ୍ୟା ପ୍ରବଣ ଲୋକମାନଙ୍କୁ ଆଶ୍ରୟ ଦିଆଯାଉଛି । ଓଡ୍ରାଫ ଟିମକୁ ରାଜ୍ୟ ସରକାର ଆଧୁନିକ ତାଲିମ ଦେଇ ଜରୁରୀ ସେବାରେ ନିୟୋଜନ କରୁଛନ୍ତି । ସମସ୍ତ କାର୍ଯ୍ୟକ୍ରମ ଦ୍ୱାରା ବିଗତ ଫାଇଲିନ୍, ଫନି ଭଳି ପ୍ରାକୃତିକ ବିପର୍ଯ୍ୟର ସଫଳ ମୁକାବିଲା କରି ସମଗ୍ର ଭାରତବର୍ଷରେ ଓଡିଶା ସର୍ବାଗ୍ରେ ରହିଛି ବୋଲି ଜିଲ୍ଲାପାଳ ଡ. ଚୟନୀ ପ୍ରକାଶ କରିଥିଲେ । ଏହି ଅବସରରେ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟସ୍ତରୀୟ କନିଷ୍ଠ ଓ ବରିଷ୍ଠ ବର୍ଗରେ ବକ୍ତୃତା, ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରି ସେମାନଙ୍କୁ ନିଜ ପରିବାର ଓ ସମାଜରେ ପ୍ରାକୃତିକ ବିପର୍ଯ୍ୟୟ କିଭଳି ମୁକାବିଲା କରିବେ ସେ ସମ୍ବନ୍ଧରେ ସଚେତନତା ଜାଗ୍ରତ କରିବା ପାଇଁ ପରାମର୍ଶ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର, ଡେପୁଟି କଲେକ୍ଟର ଏନଏନ ରାଜଲକ୍ଷ୍ମୀ ଓଝା, ବାଙ୍କି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସହକାରୀ ଜିଲ୍ଲାପାଳ, ଛାତ୍ରୀ ସୁଚୀସ୍ମିତା ମିଶ୍ର, ଆକାଂକ୍ଷା ପାତ୍ର ପ୍ରମୁଖ ଯୋଗଦେଇ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଉପରେ ବକ୍ତବ୍ୟ ରଖିଥିଲେ । ୧୯୯୯ ମହାବାତ୍ୟାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ଉଦ୍ଦେଶ୍ୟରେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଶେଷରେ ସହକାରୀ ସହକାରୀ ଜିଲ୍ଲାପାଳ ଶଶାଙ୍କ ଶେଖର ମିଶ୍ର ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସ୍ୱତନ୍ତ୍ର ଅଧିକାରୀ ପ୍ରଦୀପ ତ୍ରିପାଠୀ, ଖାନନଗର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅକ୍ଷୟ ଷଡଙ୍ଗୀ, ଜିଲ୍ଲା ବିଜ୍ଞାନ ପରିଦର୍ଶକ ଅକ୍ଷୟ ନନ୍ଦ, ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ବିଭିନ୍ନ ବ୍ଲକର ବିଡିଓ, ତହସିଲଦାର, ଜିଲ୍ଲାସ୍ତରୀୟ ଅଧିକାରୀ, ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଅଭିଭାବକମାନେ ଯୋଗଦେଇଥିଲେ ।
