ପଞ୍ଚାୟତ ଜନପ୍ରତିନିଧିଙ୍କୁ ୮ଟି ପରାମର୍ଶ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱରେ ପଞ୍ଚାୟତିରାଜ ବିଭାଗର ରାଷ୍ଟ୍ରୀୟ କର୍ମଶାଳା
ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଶୁକ୍ରବାର ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ତରଫରୁ ‘ଶିଶୁ ଓ ମହିଳା ଅନୁକୂଳ ଗ୍ରାମପଂଚାୟତ ଗଠନ’ ପ୍ରସଙ୍ଗ ଉପରେ ଆୟୋଜିତ ତିନିଦିନିଆ ରାଷ୍ଟ୍ରୀୟ କର୍ମଶାଳାର ଉଦଘାଟନ ସମାରୋହରେ ଯୋଗଦେଇଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଶ୍ରୀ ପ୍ରଧାନ ଓଡ଼ିଶାରେ ପିଏମ ଶ୍ରୀ ଯୋଜନା ଲାଗୁ କରିବା ସହ ରାଜ୍ୟ ସରକାର ଓ ପଂଚାୟତ ସ୍ତରର ଜନପ୍ରତିନିଧି ମାନଙ୍କୁ ମୋଟ ୮ଟି ପ୍ରସ୍ତାବ ଓ ପରାମର୍ଶ ଦେଇଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋଦି ସରକାରରେ ଦେଶରେ ଗ୍ରାମାଂଚଳ ଭିତିଭୂମିକୁ ମଜଭୂତ କରିବା ପାଇଁ ପଂଚଦଶ ଅର୍ଥ କମିଶନରେ ଅର୍ଥ ବ୍ୟୟବରାଦ ପାଂଚ ଗୁଣା ବୃଦ୍ଧି ପାଇଁ ୨ ଲକ୍ଷ ୪୦ ହଜାର କୋଟି ଟଙ୍କାରେ ପହଂଚିଛି । ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ପଂଚାୟତିରାଜ ସହ ସଂଶ୍ଲିଷ୍ଟ ଅନୁଷ୍ଠାନ ଗୁଡିକ ମଜଭୂତ୍ କରିବା ପାଇଁ ଏହି ଅର୍ଥ ଦିଆଯାଉଛି । କିନ୍ତୁ ରାଜ୍ୟ ସରକାର କନଭରଜେନ୍ସ ନାଁରେ ପଂଚାୟତକୁ ଆସୁଥିବା ଅର୍ଥ ଉଠାଉଥିବା ଖବର ଆସୁଛି । ଓଡ଼ିଶାରେ ଅର୍ଥର ଅଭାବ ନ ଥିବା ବେଳେ ରାଜ୍ୟ ସରକାର ପଂଚାୟତକୁ ଆସୁଥିବା ଅର୍ଥ ଉଠାଇବା ଅନୁଚିତ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କଳ୍ପନାରେ ରାଜ୍ୟରେ ପିଏମ ଶ୍ରୀ ଯୋଜନା ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ଶ୍ରୀ ପ୍ରଧାନ । ସେ କହିଛନ୍ତି ଏହି ଯୋଜନାରେ ଓଡ଼ିଶାକୁ ୮୦୦ଟି ସ୍କୁଲ ଆସିବ ଏବଂ ୧୬୦୦ କୋଟି ଟଙ୍କା ମିଳିବ । ମାତ୍ର ରାଜ୍ୟ ସରକାର ଏଥିପାଇଁ ଏମଓୟୁ କରିନାହାନ୍ତି । ତେଣୁ ରାଜ୍ୟରେ ଏହି ଯୋଜନାକୁ ଲାଗୁ କରିବା ପାଇଁ ଜାତୀୟ ସ୍ତରରେ ଆଲୋଚନା କରିବା ପାଇଁ ସେ ପ୍ରସ୍ତାବ ଦେଇଛନ୍ତି । ତୃତୀୟତଃ ଓଡ଼ିଶାରେ ନବଜାତ ଶିଶୁ ଓ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବା ତଥ୍ୟରୁ ଜଣାପଡିଛି । ଏନଏଫଏଚଏସ ସର୍ଭେ ଅନୁଯାୟୀ, ଓଡ଼ିଶାର ୧୯% ନବଜାତ ଶିଶୁଙ୍କର କମ ଓଜନ ରହିଥିବା ବେଳେ ୩୧% ଶିଶୁ ପୁଷ୍ଟିହୀନର ଶୀକାର ଅଛନ୍ତି । ୧୮% ଉଚ୍ଚତା କମ୍ ଓ ୬୦%ରୁ ଉର୍ଦ୍ଧ୍ୱ ଶିଶୁ ଓ ଗର୍ଭବତୀ ମହିଳା ରକ୍ତହୀନତାରେ ପୀଡିତ, ଯାହା ଚିନ୍ତାଜନକ । ୧୩ବର୍ଷ ପରେ ଓଡ଼ିଶା ଭାଷାଭିତିକରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ ଓ ୨୫ ବର୍ଷ ପରେ ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବ । ଏହି ସମୟରେ ଶିଶୁ ଓ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଧ୍ୟାନ ନଦେଲେ ଓଡିଶା ସମୃଦ୍ଧଶାଳୀ ହେବ ନାହିଁ । ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହଯୋଗରେ ଶିଶୁ ଓ ମହିଳାଙ୍କୁ ପୋଷଣଯୁକ୍ତ ଖାଦ୍ୟ ପ୍ରଦାନ ଓ ସ୍ୱାସ୍ଥ୍ୟ ସମସ୍ୟାକୁ ହ୍ରାସ କରିବା ପାଇଁ ହେଉଥିବା ଯୋଜନାକୁ ସଠିକ୍ କ୍ରିୟାନ୍ୱୟନର ଦାୟିତ୍ୱ ନେବା ପାଇଁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
