୧୯ ଶିଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
୧୬୫୦ କୋଟି ଟଙ୍କାର ହେବ ପୁଞ୍ଜି ବିନିଯୋଗ, ୪ହଜାର ୫ଶହଙ୍କୁ ମିଳିବ ରୋଜଗାର
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ରାଜ୍ୟରେ ୧୬ତମ ପର୍ଯାୟରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ୨ଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିବା ବେଳେ ୧୭ଟି ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଛନ୍ତି । ମେକ ଇନ ଓଡିଶା କନକ୍ଲେଭ ୨୦୨୨ରେ ଏହି ପ୍ରକଳ୍ପ ଗୁଡିକ ପାଇଁ ପ୍ରସ୍ତାବ ଆସିଥିଲା । ଏହି ପ୍ରକଳ୍ପ ଗୁଡିକରେ ୧୬୫୦ କୋଟି ଟଙ୍କାର ହେବ ପୁଂଜି ବିନିଯୋଗ ହେବାକୁ ଥିବା ବେଳେ ୪ ହଜାର ୫ ଶହ ଜଣଙ୍କୁ ଏଥିରୁ ରୋଜଗାର ମିଳିବ ବୋଲି ଆକଳନ କରାଯାଇଛି । ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ପ୍ଲାଷ୍ଟିକ, ସମୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ, ମାନୁଫାକଚରିଂ, ପର୍ଯ୍ୟଟନ, ସୂଚନା ପ୍ରଯୁକ୍ତି, କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ, ଫାର୍ମାସିଟିକାଲ ଓ ଷ୍ଟିଲ ଡାଉନ ଷ୍ଟ୍ରିମ ଶିଳ୍ପ ସାମିଲ ରହିଛି ।
ଭର୍ଚୁଆଲ ପ୍ଲାଟଫର୍ମରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ କିଛି ବର୍ଷ ମଧ୍ୟରେ ମେଟାଲ, ମିନେରାଲ ଠାରୁ ଆରମ୍ଭ କରି କେମିକାଲ, ପେଟ୍ରୋକେମିକାଲ ଓ ଖାଦ୍ୟ ପ୍ରକ୍ରିୟାକରଣ ଓ ଅନ୍ୟ କ୍ଷେତ୍ରରେ ଓଡିଶା ଦେଶର ଏକ ବଡ ମାନୁଫାକଚରିଂ ହବ୍ ହୋଇ ପାରିଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡିଶାରେ ପୁଂଜି ବିନିଯୋଗ କରିବାକୁ ଇଚ୍ଛୁକ ପୁଂଜି ନିବେଶକାରୀଙ୍କୁ ରାଜ୍ୟ ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇଦେବେ । କାର୍ଯ୍ୟତ୍କମରେ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ ନିଜର ଉଦବୋଧନରେ ଶିଳ୍ପ ସଂସ୍ଥା ମାନଙ୍କୁ ସ୍ୱାଗତ କରି କହିଥିଲେ ଯେ ଆଗାମୀ ଦିନରେ ଓଡିଶା ଦେଶର ଆଗାମୀ ମେନୁଫାକଚରିଂ ହବ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ଶିଳ୍ପ ମାନଙ୍କୁ ସମସ୍ତ ପ୍ରକାର ଆବଶ୍ୟକୀୟ ସହାୟତା ସରକାର ଯୋଗାଇ ଦେବେ ବୋଲି ସେ କହିଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ବିକାଶ କମିଶନର ଶ୍ରୀମତୀ ଅନୁ ଗର୍ଗ ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ ।
