ଆୟୁର୍ବେଦ ପ୍ରବର୍ତ୍ତକ ଧନ୍ୱନ୍ତରୀଙ୍କ ଜୟନ୍ତୀରେ ଜାତୀୟ ଆଲୋଚନା ଚକ୍ର
କଟକ : ଆୟୁର୍ବେଦ ପ୍ରବର୍ତ୍ତକ ଧନ୍ୱନ୍ତରୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଓ ବିଶ୍ୱ ଆୟୁର୍ବେଦ ଦିବସରେ ଜାତୀୟ ଆଲୋଚନା ଚକ୍ର ଏବଂ କର୍ମଶାଳା କଟକ କାଳୀଭବନଠାରେ ଓଡିଶା ଆୟୁର୍ବେଦ ସେବା ସଂସ୍ଥା ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁ ଶ୍ରୀମଦ୍ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ଉଦ୍ଘାଟନ କରିଥିଲେ । ଓଡିଶା ଆୟୁର୍ବେଦ ସେବା ସଂସ୍ଥାର ଅଧ୍ୟକ୍ଷ ଡି.ଲିଟ୍ ପ୍ରାପ୍ତ ଆୟୁର୍ବେଦ ଗବେଷକ ଡାକ୍ତର ଦୀନବନ୍ଧୁ ମହାରଣା ଉତ୍ସବରେ ସଭାପତିତ୍ୱ କରି ଆୟୁର୍ବେଦ ଏକ ପାଶ୍ୱର୍ ପ୍ରତିକ୍ରିୟା ବିହୀନ ଚିକିତ୍ସା ହୋଇଥିବାରୁ ଜନସାଧାରଣ ଏହାର ସୁଯୋଗ ନେବାକୁ ମତପୋଷଣ କରିଥିଲେ । ସଂପ୍ରତି ଭାରତ ସରକାର ସ୍ୱତନ୍ତ୍ର ଆୟୁଷ ମନ୍ତ୍ରଣାଳୟ ଖୋଲି ଭାରତୀୟ ଚିକିତ୍ସା ଆୟୁର୍ବେଦର ବିକାଶ ପାଇଁ ଦେଶର ସମସ୍ତ ରାଜ୍ୟରେ ସ୍ୱତନ୍ତ୍ର ପଂଚକର୍ମ ଚିକିତ୍ସାଳୟ ଖୋଲିବାକୁ ନିଷ୍ପତି ଗ୍ରହଣ କରିଥିବାରୁ ରାଜ୍ୟ ସରକାର ଓଡିଶାର ପ୍ରତି ଜିଲ୍ଲାରେ ଏବଂ ଓଡିଶାରେ ଥିବା ସମସ୍ତ ଆୟୁର୍ବେଦ କଲେଜଗୁଡିକରେ ଅତ୍ୟାଧୁନିକ ଆୟୁର୍ବେଦୀୟ ପଂଚକର୍ମ ହସ୍ପିଟାଲ ସ୍ଥାପନ କରିବା ପାଇଁ ଡାକ୍ତର ମହାରଣା ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସରକାରଙ୍କ ବିହାରସ୍ଥିତ ଡକ୍ଟର ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ଡ. ପ୍ରଫୁଲ୍ଲ କୁମାର ମିଶ୍ର ଯୋଗଦେଇ ଆୟୁର୍ବେଦ ପ୍ରବର୍ତ୍ତକ ଧନ୍ୱନ୍ତରୀ ଏବଂ ମହର୍ଷି ଚରକ, ମହର୍ଷି ଶୁଶ୍ରୁତ, ମହର୍ଷି ପତଞ୍ଜଳିଙ୍କ ଭଳି ମୁନିଋଷିମାନଙ୍କ ଅବଦାନ ପାଇଁ ଆୟୁର୍ବେଦ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଆଦର ଲାଭ କରିଛି ବୋଲି ପ୍ରକାଶ କରିଥିଲେ । ଏଥିରେ ବିଶିଷ୍ଟ ଅତିଥି ଭାବରେ ପୋଲିସ କମାଣ୍ଡାଣ୍ଟ ତଥା ଗବେଷକ ବିଷ୍ଣୁପଦ ଦାସ ଯୋଗଦେଇ ଆୟୁର୍ବେଦ ଚିକିତ୍ସାର ଉପକାରିତା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ଏକ ସ୍ୱାସ୍ଥ୍ୟ ଭିତ୍ତିକ କବିତା ପାଠୋତ୍ସବରେ ଓଡିଶାର ବିଭିନ୍ନ ଜିଲ୍ଲାର ଆୟୁର୍ବେଦ ପ୍ରେମୀ କବି ଓ ସାହିତ୍ୟିକମାନେ ଯୋଗଦେଇ କବିତା ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିଥିଲେ । ଉତ୍ସବରେ ଆୟୁର୍ବେଦ ଚିକିତ୍ସକ ଡାକ୍ତର ମିନତି ମହାରଣା ଏବଂ ଆୟୁର୍ବେଦୀୟ ପଂଚକର୍ମ ବିଶେଷଜ୍ଞ ଡାକ୍ତର ଦିବ୍ୟଜ୍ୟୋତି ଆୟୁର୍ବେଦର ବିକାଶ ପାଇଁ ଧନ୍ୱନ୍ତରୀଙ୍କ ଅବଦାନ ଏବଂ ବୃକ୍ଷଲତାର ପତ୍ର, ଫୁଲ, ଫଳ ଏବଂ ଚେର ମାଧ୍ୟମରେ ସ୍ୱଳ୍ପ ବ୍ୟୟରେ ଜନସାଧାରଣ କିପରି ଆରୋଗ୍ୟ ଲାଭ କରୁଛନ୍ତି ତାହାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ସ୍ୱାସ୍ଥ୍ୟ ସଚେତନତା ଧର୍ମୀ ପୁସ୍ତକ ‘ସ୍ୱାସ୍ଥ୍ୟ ସନ୍ଦେଶ’ ଉନ୍ମୋଚନ କରାଯାଇ ବିତରଣ କରାଯାଇଥିଲା । ଶେଷରେ ଆବାହକ ଆଇନଜୀବୀ ଅଜିତ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
