ଜାତୀୟ ଆର୍ ଭାଲ୍ୟୁ ଅତ୍ୟନ୍ତ ଚିନ୍ତାଜନକ
ନୂଆଦିଲ୍ଲୀ: ଜାତୀୟ ଆର୍ ଭାଲ୍ୟୁ ଅତ୍ୟନ୍ତ ଚିନ୍ତାଜନକ। ଆର୍ ଭାଲ୍ୟୁ ଏବେ ଦେଶରେ ୧.୦ ଉପରେ ରହିଛି। ଦେଶରେ କରୋନା ସ୍ଥିତି ସଂକ୍ରାନ୍ତରେ ଏକ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ କିଛି ରାଜ୍ୟରେ ଆର୍ ଭାଲ୍ୟୁ ବଢ଼ିଛି। ଗତ ମାସରେ ଦେଶରେ ଆର୍ ଭାଲ୍ୟୁ ୧.୦ ଅତିକ୍ରମ କରିଥିଲା। ତେବେ ଶେଷ ଥର ପାଇଁ ମାର୍ଚ୍ଚରେ ଜାତୀୟ ଆର୍ ଭାଲ୍ୟୁ ୧.୩୨ ଥିଲା। ଅନ୍ୟପକ୍ଷେ ଜୁନ୍ରେ ଆର୍ ଭାଲ୍ୟୁ ୦.୭୫ ଥିବାବେଳେ ଜୁଲାଇରେ ଏହା ୦.୮୭ ଏବଂ ଜୁଲାଇ ମଧ୍ୟଭାଗରେ ଦେଶର ଆର୍ ଭାଲ୍ୟୁ ୦.୯୫ ଥିଲା। ସରକାରୀ ତଥ୍ୟ ଅନୁଯାୟୀ ପଂଜାବ ଏବଂ ହିମାଚଳପ୍ରଦେଶରେ ଆର୍ ଭାଲ୍ୟୁ ୧.୩ ଥିବାବେଳେ ଉତ୍ତରପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶରେ ଆର୍ ଭାଲ୍ୟୁ ୧.୧ ଏବଂ ୧.୦ ରହିଛି। ସେହିପରି ଗୁଜରାଟ, ମଧ୍ୟପ୍ରଦେଶ, ନାଗାଲାଣ୍ଡ୍ ଏବଂ ଗୋଆରେ ମଧ୍ୟ ଆର୍ ଭାଲ୍ୟୁ ଅଧିକ ରହିଛି। ମଧ୍ୟପ୍ରଦେଶ ଏବଂ ଗୁଜରାଟରେ ଆର୍ ଭାଲ୍ୟୁ ୧.୧ ଥିବାବେଳେ ଗୋଆରେ ଆର୍ ଭାଲ୍ୟୁ ୧.୦ ରହିଛି। ତେବେ ଉପରୋକ୍ତ ରାଜ୍ୟ ଗୁଡ଼ିକରେ ଦୈନିକ ନୂଆ ମାମଲା ସ୍ଥିର ରହିଛି। କିନ୍ତୁ ଦୈନିକ ସଂକ୍ରମଣ ଯେତେ କମ୍ ହେଲେ ସୁଦ୍ଧା ଆର୍ ଭାଲ୍ୟୁ ୧.୦ ଉପରେ ରହିବା ଅତ୍ୟନ୍ତ ଚିନ୍ତାଜନକ ବୋଲି ସରକାର କହିଛନ୍ତି।
କେରଳ ଏବଂ ମହାରାଷ୍ଟ୍ରରେ ଲଗାତାର ସଂକ୍ରମଣ ଅଧିକ ରହିଛି। ଦେଶରେ ଗତ ସପ୍ତାହରେ ଚିହ୍ନଟ ହୋଇଥିବା ମୋଟ୍ ନୂଆ ମାମଲାର ୫୧.୫୧ ପ୍ରତିଶତ କେବଳ କେରଳରୁ ଚିହ୍ନଟ ହୋଇଛି। କେରଳରେ ସକ୍ରିୟ ମାମଲା ୧.୭ ଲକ୍ଷରୁ ଅଧିକ ରହିଛି ଏବଂ ମୋଟ୍ ସଂକ୍ରମଣ ମାମଲା ୩୫.୬୬ ଲକ୍ଷକୁ ବୃଦ୍ଧି ପାଇଛି। ଆନ୍ଧ୍ରପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ୩୬.୯୧ ଲକ୍ଷ ମାମଲା ଚିହ୍ନଟ ହୋଇଥିବାବେଳେ ଗୁଜରାଟରେ ୮.୨୫ ଲକ୍ଷ ମାମଲା ଏବଂ ମଧ୍ୟପ୍ରଦେଶରେ ୮ ଲକ୍ଷ, ପଂଜାବରେ ୬ ଲକ୍ଷ ମାମଲା ଚିହ୍ନଟ ହୋଇଛି।
