ପାକିସ୍ତାନରେ ବିନା ଟିକାକରଣରେ ଟ୍ରେନ ଯାତ୍ରା ମନା
ଇସଲାମାବାଦ : ବିଶ୍ୱର ଦ୍ଵିତୀୟ ଲହର ସଂକ୍ରମଣ କମୁଥିବା ବେଳେ କିଛି ଦେଶରେ ପୁଣି ଥରେ ସଂକ୍ରମଣ କାୟା ବିସ୍ତାର ଆରମ୍ଭ କରିଦେଇଛି । ଏହାକୁ ନେଇ ପାକିସ୍ତାନର ଇମ୍ରାନ ଖାନ ସରକାରଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଏହି ପରିପ୍ରେକ୍ଷୀରେ ସରକାର ଖୁବଶୀଘ୍ର ନିଜ ଦେଶର ସମସ୍ତ ଲୋକଙ୍କୁ କରୋନା ଟିକା ଦେବାକୁ ଚାହୁଁଛି । ଏନେଇ ସରକାର ନୂଆ ଗାଇଡଲାଇନ ଘୋଷଣା କରିଛନ୍ତି ।
ଯେଉଁ ଲୋକମାନେ ଟିକା ନେବାକୁ ନେଇ ତତ୍ପରତା ପ୍ରକାଶ କରିନାହାନ୍ତି, ସରକାରଙ୍କ ଆଇନକୁ ପାଳନ କରିବାକୁ ପଡ଼ିବ । ସରକାରଙ୍କ ପକ୍ଷରୁ ସ୍ପଷ୍ଟ ଭାବରେ କୁହାଯାଇଛି ଯେ, ଲୋକେ ଆଗାମୀ ଅକ୍ଟୋବର ମାସ ଠାରୁ ବିନା ଟିକାକରଣରେ ଟ୍ରେନ ଯାତ୍ରା କରିପାରିବେ ନାହିଁ । ପାକିସ୍ତାନ ସରକାର ଏହା ପୂର୍ବରୁ ମଧ୍ୟ ବଡ଼ ପଦକ୍ଷେପ ନେଇଛି । ଟିକା ନେଇ ନଥିବା ଲୋକଙ୍କୁ ବିମାନଯାତ୍ରା ମନା ହୋଇଛି । ସେହିପରି ଟିକା ନେଇ ନଥିବା ଲୋକଙ୍କର ମୋବାଇଲ ସିମ ବ୍ଲକ କରିବାକୁ ପାକିସ୍ତାନ ସରକାର ନିର୍ଦ୍ଦେଶନାମା ଜାରି କରିଛି ।
