ଆଫଗାନିସ୍ତାନକୁ ସମର୍ଥନ ପାଇଁ ପଠାଇଥିବା ସେନା ଫେରାଇନେବ ଆମେରିକା
ନୂଆଦିଲ୍ଲୀ : ଆଫଗାନିସ୍ତାନରେ ନିଜର ଆଧିପତ୍ୟ ବିସ୍ତାର କରିବାରେ ଲାଗିଛି ତାଲିବାନ । ଧିରେ ଧିରେ ଆଫଗାନିସ୍ତାନର ବିଭିନ୍ନ ଅଞ୍ଚଳକୁ ନିଜ ଅକ୍ତିଆରକୁ ନେଲଣି। ଏହାକୁ ନେଇ ଆଫଗାନିସ୍ତାନକୁ ସମର୍ଥନ କରିବା ପାଇଁ ଆମେରିକା ପଠାଇଥିବା ସେନା ଫେରାଇନେବ ବୋଲି ଘୋଷଣା କରିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ।
ଆଫଗାନିସ୍ତାନ ନେତାମାନଙ୍କୁ ଏକାଠି ହେବାକୁ ପଡିବ। ସେମାନଙ୍କୁ ନିଜ ପାଇଁ ଲଢ଼ିବାକୁ ପଡ଼ିବ, ନିଜ ଦେଶ ପାଇଁ ଲଢ଼ିବାକୁ ପଡ଼ିବ। ୱାଶିଂଟନ୍ ଏ ନେଇ ୨୦ ବର୍ଷ ମଧ୍ୟରେ ୧ଟ୍ରିଲିୟନ ଡଲାରରୁ ଅଧିକ ଖର୍ଚ୍ଚ କରିସାରିଛି ଏବଂ ହଜାର ହଜାର ସୈନ୍ୟ ହରାଇଛି। ଆଫଗାନିସ୍ତାନ ସୈନ୍ୟବାହିନୀକୁ ଆମେରିକା ଗୁରୁତ୍ୱପୂର୍ଣ୍ଣ ବାୟୁ ସହାୟତା, ଖାଦ୍ୟ, ଯନ୍ତ୍ରପାତି ଏବଂ ଦରମା ପ୍ରଦାନ ଜାରି ରଖିଛି। ତେବେ ଆମେରିକାର ସହାୟତାରେ ଆଫଗାନ ସରକାର ତାଲିବାନ ସହ ଲଢ଼େଇ କରିଆସୁଥିଲେ। ଏବେ ଆମେରିକା ସେନାକୁ ଫେରାଇନେବା ପରେ ଆଫଗାନ ସରକାରଙ୍କୁ ଏକାକୀ ତାଲିବାନଙ୍କ ବିରୋଧରେ ଲଢ଼ିବାକୁ ପଡ଼ିବ। ଏବେ ପର୍ଯ୍ୟନ୍ତ ଆଫଗାନିସ୍ତାନ ଅଞ୍ଚଳ ଉପରେ ନିଜର ଆଭିମୁଖ୍ୟକୁ କଡାକଡି କରି ଦେଶର ୬୫% ନିଜ ନିୟନ୍ତ୍ରଣକୁ ନେଇସାରିଛି ତାଲିବାନ।
