ନବରାତ୍ରର ଆରମ୍ଭ : ଏଥର ପାଲିଙ୍କିରେ ଆସିବେ ମା’, ଆସନ୍ତୁ ଜାଣିବା ଏହାର ମହତ୍ୱ
ଆଜି ଠାରୁ ସାରା ଦେଶରେ ଧୁମଧାମରେ ଆରମ୍ଭ ହେବ ଶାରଦୀୟ ନବରାତ୍ର ପର୍ବ । ମା’ଙ୍କ ଆଗମନରେ ଧରା ପୃଷ୍ଠ ଉଲ୍ଲସିତ ହେବ। ଦେବୀଙ୍କ ଏହି ଆଗମନକୁ ଅନେକ କାରଣରୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଇଥାଏ। ମା’ଙ୍କ ଆଗମନ ତାଙ୍କ ଭକ୍ତଙ୍କ ଲାଗି କେବଳ ଧାର୍ମିକ ଉତ୍ସାହ ଓ ଆନନ୍ଦ ନୁହେଁ ଭବିଷ୍ୟତରେ ହେବାକୁ ଥିବା ଅନେକ ଘଟଣାର ସଙ୍କେତ ମଧ୍ୟ ଦେଇଥାଏ। ଏଣୁ ମା’ ଯେଉଁ ବାହନରେ ଆସନ୍ତି ଓ ଯେଉଁ ବାହନରେ ଫେରନ୍ତି ସେଥିରୁ ଆଗାମୀ ବର୍ଷେ ପର୍ଯ୍ୟନ୍ତ ଦେଶଦୁନିଆ ଓ ଭକ୍ତଙ୍କ ଲାଗି କିପରି ରହେ ତାହାର ପୂର୍ବାନୁମାନ କରାଯାଏ। ଏହି ଦିନମାନଙ୍କରେ ମା’ର ୯ଟି ରୂପକୁ ପୂଜା କରାଯାଏ । ପ୍ରଥମ ଦିନ ମାତା ଶୈଲପୁତ୍ରୀ ଓ ଘଟ ସ୍ଥାପନା କରାଯାଏ । ଏବଂ ନବରାତ୍ରିର ଶେଷ ଦିନ କନ୍ୟା ମାନଙ୍କର ପୂଜା କରାଯାଇ ବ୍ରତ ଖୋଲା ଯାଏ । ନବରାତ୍ରିର ଶୁଭ ଦିନରେ କନ୍ୟାଙ୍କୁ ପୂଜା କରିବାର ମହତ୍ଵ ସମସ୍ତେ ଜାଣିଛନ୍ତି, ଯେତେ ଅଧିକ କନ୍ୟାଙ୍କୁ ପୂଜା କରାଯାଏ ସେହି ଅନୁସାରେ ମଧ୍ୟ ଶୁଭ ଫଳ ମିଳିଥାଏ । ଧର୍ମ ଗ୍ରନ୍ଥରେ ୨ବର୍ଷ ବୟସ ଠାରୁ ୧୦ବର୍ଷ ବୟସ ମଧ୍ୟରେ କନ୍ୟା ମାନଙ୍କ ଠାରେ ମାତାଙ୍କ ସ୍ବରୂପ ଥାଏ ବୋଲି କୁହାଯାଇଛି । ସେହିପରି ନଅ ଦିନରେ ନଅଟି ରଙ୍ଗର ପୋଷାକ ପିନ୍ଧି ପୂଜା କଲେ ଏହାର ସ୍ୱତନ୍ତ୍ର ମହତ୍ତ୍ୱ ରହିବା ସହ ସ୍ୱତନ୍ତ୍ର ଫଳ ମଧ୍ୟ ମିଳିଥାଏ।
ବାର ଅନୁସାରେ ଜଣାପଡେ ମା’ଙ୍କ ବାହନ :
ଦେବୀ ଦୁର୍ଗା କେଉଁ ବାହନରେ ଧରାବତରଣ କରିବେ ତାହା ନବରାତ୍ରିର ପ୍ରଥମ ଦିନରୁ ହିଁ ଜଣାପଡିଯାଏ। ଦେବୀ ଭାଗବତ ପୁରାଣ ଅନୁସାରେ ଯେଉଁ ଦିନ ମା’ଙ୍କ ପୂଜା ଆରମ୍ଭ ହୁଏ ସେହି ଦିନର ବାର ଅନୁସାରେ ବାହନ ନିର୍ଦ୍ଧାରିତ ହୋଇଥାଏ । ଏଥିରେ ଚଳିତ ଶାରଦୀୟ ନବରାତ୍ର ଗୁରୁବାର ଆରମ୍ଭ ହେଉଥିବାରୁ ଦେବୀ ଦୁର୍ଗା ପାଲିଙ୍କିରେ ଧରାଗମନ କରିବେ। ଦେବୀ ଭାଗବତ ପୁରାଣ ଅନୁସାରେ
ଶଶିସୂର୍ଯ୍ୟ ଗଜାରୁଢା ଶନିଭୌମୈ ତୁରଙ୍ଗମେ
ଗୁରୁଶୁକ୍ରେଚ ଦୋଲାୟାଂ ବୁଦ୍ଧେ ନୌକା ପ୍ରକିର୍ତ୍ତତେ।।
ଅର୍ଥାତ ମାଙ୍କ ଆଗମନ ପାଲିଙ୍କିରେ ହେବ ।
ପାଲିଙ୍କିରେ ଆସିବାର ମହତ୍ୱ :
ଶାସ୍ତ୍ରରେ ବର୍ଣ୍ଣିତାନୁସାରେ ମା’ ପାଲିଙ୍କିରେ ଆସିଲେ ରାଜନୀତିରେ ହଟଚମଟ ପରିସ୍ଥିତି ସୃଷ୍ଟି ହୁଏ। ସାରା ଦେଶ ଦୁନିଆ ରାଜନୀତିରେ ଏହି ପରିସ୍ଥିତି ସୃଷ୍ଟି କରିବ। ଏହା ଛଡା ପାଲିଙ୍କିରେ ଆସିବା ଅର୍ଥାତ ପ୍ରାକୃତିକ ଆପଦ ବିପଦର ମଧ୍ୟ ସଂକେତ। ମହାମାରୀ ବ୍ୟାପିବାର ଆଶଙ୍କା ମଧ୍ୟ କରାଯାଉଛି। ତେବେ ଭକ୍ତିର ସହ ମା’ଙ୍କ ଆରାଧନା କଲେ ଭକ୍ତ ନିଶ୍ଚିତ ବିପଦରୁ ମୁକ୍ତ ରହିବେ।
ଏଥର ନବରାତ୍ର ୮ ଦିନିଆ :
ବିଜୟା ଦଶମୀ ଦଶହରା ପୂର୍ବ ୯ ଦିନକୁ ନବରାତ୍ର ପାଳନ କରାଯାଏ। ଏଥିରେ ଭକ୍ତମାନେ ଦେବୀଙ୍କ ଭିନ୍ନ ଭିନ୍ନ ୯ଟି ରୂପର ଆରାଧନା କରିଥାନ୍ତି। ଚଳିତବର୍ଷ ନବରାତ୍ର ୭ ଅକ୍ଟୋବରରୁ ଆରମ୍ଭ ହୋଇ ୧୪ ଅକ୍ଟୋବରରେ ସରିବ। ତୃତୀୟା ଓ ଚତୁର୍ଥୀ ତିଥି ଗୋଟିଏ ଦିନରେ ପଡୁଥିବାରୁ ନବରାତ୍ର ଗୋଟିଏ ଦିନ କମି ଯାଉଛି। ଅକ୍ଟୋବର ୧୫ ତାରିଖରେ ଦଶହରା ବା ବିଜୟ ଦଶମୀ ପାଳିତ ହେବ।
ନବରାତ୍ର ଘଟ ସ୍ଥାପନାର ଶୁଭବେଳା :
ଶାରଦୀୟ ନବରାତ୍ରୀ ଉତ୍ସବର ପ୍ରାରମ୍ଭ କଳଶ ସ୍ଥାପନା ସହ ହୋଇଥାଏ। ଏହାକୁ ଘଟସ୍ଥାପନା ମଧ୍ୟ କୁହାଯାଏ। ଗୁରୁବାର ସକାଳ ୬ଟା ୧୭ ମିନିଟରୁ ୭ଟା ୭ ମିନିଟ ପର୍ଯ୍ୟନ୍ତ ଘଟ ସ୍ଥାପନା ନିମନ୍ତେ ଅତ୍ୟନ୍ତ ଶୁଭ ସମୟ ନିର୍ଦ୍ଧାରିତ ହୋଇଛି। ଏହା ପରେ ସକାଳ ୧୧ଟା ୪୫ରୁ ୧୨ଟା ୩୨ ପର୍ଯ୍ୟନ୍ତ ରହୁଥିବା ଅଭିଜିତ ମୁହୂର୍ତ୍ତରେ ମଧ୍ୟ ଘଟସ୍ଥାପନା କରାଯାଇପାରେ।
ବିଶେଷ ରଙ୍ଗର ପୋଷାକ ଧାରଣ ଶୁଭ ଅଟେ :
ପ୍ରଥମ ଦିନରେ ମା’ଶୈଳପୁତ୍ରୀଙ୍କର ପୂଜା ହୋଇଥାଏ। ଏହି ଦିନ ପୂଜାରେ ହଳଦିଆ ରଙ୍ଗର ପୋଷାକ ପିନ୍ଧି ପୂଜା କଲେ ଅତ୍ୟନ୍ତ ଶୁଭ ହୋଇଥାଏ।
ଦିତୀୟ ଦିନରେ ମା’ ବ୍ରହ୍ମଚାରିଣୀଙ୍କର ପୂଜା ହୋଇଥାଏ। ଏହି ଦିନରେ ସବୁଜ ରଙ୍ଗର ପୋଷାକ ପିନ୍ଧିବା ଅତ୍ୟନ୍ତ ଶୁଭ ଅଟେ।
ତୃତୀୟ ଦିନରେ ମା’ ଚନ୍ଦ୍ରଘଣ୍ଟାଙ୍କର ପୂଜା ହୋଇଥାଏ। ଏହି ଦିନରେ ପାଉଁଶିଆ ରଙ୍ଗର ପୋଷାକ ପିନ୍ଧିବା ଅତ୍ୟନ୍ତ ଶୁଭ ହୋଇଥାଏ।
ଚତୁର୍ଥ ଦିନରେ ମା’କୁଷ୍ମାଣ୍ଡାଙ୍କର ପୂଜା ହୋଇଥାଏ। ଏହି ଦିନରେ ନାରଙ୍ଗୀ ରଙ୍ଗର ପୋଷାକ ପିନ୍ଧିବା ଅତ୍ୟନ୍ତ ଶୁଭ ହୋଇଥାଏ।
ପଞ୍ଚମ ଦିନରେ ସ୍କନ୍ଦମାତାଙ୍କର ପୂଜା ହୋଇଥାଏ। ଏହି ଦିନରେ ଧବଳ ରଙ୍ଗର ପୋଷାକ ପିନ୍ଧିବା ବହୁତ ଶୁଭ ଅଟେ।
ଷଷ୍ଠ ଦିନରେ ମା’କାର୍ତ୍ତିୟାନୀଙ୍କର ପୂଜା ହୋଇଥାଏ। ଏହି ଦିନରେ ନାଲି ରଙ୍ଗର ପୋଷାକ ପିନ୍ଧିବା ଅତ୍ୟନ୍ତ ଶୁଭ ହୋଇଥାଏ।
ସପ୍ତମୀ ଦିନରେ ମା’କାଳରାତ୍ରିଙ୍କର ପୂଜା ହୋଇଥାଏ। ଏହି ଦିନରେ ନୀଳ ରଙ୍ଗର ପୋଷାକ ପିନ୍ଧିବା ଅତ୍ୟନ୍ତ ଶୁଭ ହୋଇଥାଏ।
ଅଷ୍ଟମ ଦିନରେ ମା’ମହାଗୌରୀଙ୍କର ପୂଜା ହୋଇଥାଏ। ଏହି ଦିନରେ ଗୋଲାପି ରଙ୍ଗର ପୋଷାକ ପିନ୍ଧିବା ଅତ୍ୟନ୍ତ ଶୁଭ ହୋଇଥାଏ।
ନବମ ଦିନରେ ମା’ସିଦ୍ଧାତ୍ରୀଙ୍କର ପୂଜା ହୋଇଥାଏ। ଏହି ଦିନରେ ବାଇଗଣୀ ରଙ୍ଗର ପୋଷାକ ପିନ୍ଧିବା ଅତ୍ୟନ୍ତ ଶୁଭ ହୋଇଥାଏ।
ଏହି ନଅ ଦିନ ମଧ୍ୟରେ କଳା ରଙ୍ଗର ପୋଷାକ ପିନ୍ଧିବା ଉଚିତ ନୁହେଁ ।
ଆମେ ଆଶା କରୁଛୁ ଆପଣଙ୍କୁ ଏହି ଖବରଟି ନିଶ୍ଚୟ ପସନ୍ଦ ଆସିଥିବ। ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ ।





