ଡ଼ାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା ମାମଲା ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ
କେନ୍ଦୁଝର : ଜଣେ ଆଦିବାସୀ ମହିଳାଙ୍କୁ ଡାହାଣୀ ସନ୍ଦେହରେ ଟାଙ୍ଗିଆରେ ହାଣି ହତ୍ୟା ମାମଲାରେ ହତ୍ୟାକାରୀ ଅଙ୍କୁର ବିରୁଆକୁ ଆଜି ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ, ୨୦୧୯ ମସିହା ସେପ୍ଟେମ୍ବର ମାସ ୨୫ ତାରିଖ ସଂନ୍ଧ୍ୟା ସାଢ଼େ ୫ଟା ସମୟରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ କାନ୍ତାଳା ଗ୍ରାମର ଅଙ୍କୁର ବିରୁଆ ସେହି ଗ୍ରାମର ସ୍ୱର୍ଗତ ଶାସ୍ତ୍ରୀ ପୂର୍ତିଙ୍କ ସ୍ତ୍ରି ବୀରାଂ ପୂର୍ତିଙ୍କୁ ଏକ ଟାଙ୍ଗିଆରେ ବାମପାଖ କାନମୁଳିକୁ ବାରମ୍ବାର ହାଣିବା ଫଳରେ ସେ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ଏ ସମ୍ପର୍କରେ ପୁଅ ସିଂରାଇ ପୂର୍ତି ଆନନ୍ଦପୁର ଥାନାରେ ଅଙ୍କୁର ବିରୁଆ ନାମରେ ଅଭିଯୋଗ କରିଥିଲେ । ପୋଲିସ ଏ ସଂକ୍ରାନ୍ତରେ ଏକ ହତ୍ୟା ମାମଲା ରୁଜ୍ଜୁ କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ରଂଜନ କୁମାର ସୁତାର ମାମଲାର ବିଚାର କରି ଅଭିଯୁକ୍ତ ଅଙ୍କୁର ବିରୁଆକୁ ଆଜୀବନ ସଶ୍ରମ କାରାଦଣ୍ଡାଦେଶ ସଜା ଶୁଣାଇଛନ୍ତି । ଏଥିସହ ୨୫ ହଜାର ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି । ଜରିମାନା ଅନାଦେୟ ୨ ବର୍ଷ ଅଧିକ ଜେଲ୍ ଦଣ୍ଡ ଭୋଗିବାକୁ ହେବ ବୋଲି କୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି ।
