ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ : ଜଣେ ମୃତ, ଦୁଇ ଗୁରୁତର
କଟକ: କଟକ ଜିଲା ନରସିଂହପୁର ଥାନା ଅନ୍ତର୍ଗତ କାଠଖୁଣ୍ଟ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୋଷ୍ଠୀ ସଙ୍ଘର୍ଷ । ଭୋଜି କଥାକୁ କେନ୍ଦ୍ର କରି ଭୁଜାଲି ଓ ଫାର୍ସାରେ ଆକ୍ରମଣ ଯୋଗୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ହୋଇଥିବାର ଜଣାପଡିଛି । ଏହି ଆକ୍ରମଣରେ ବିନି ମହାଳିକ(୪୫) ପ୍ରାଣ ହରାଇଛନ୍ତି। ସେହିପରି ତାଙ୍କ ସ୍ୱାମୀ ଶିବ ମହାଳିକ ଓ ପୁଅ ଆଲୋକ ମହାଳିକ ଗୁରୁତର ହୋଇଛନ୍ତି। ଉଭୟଙ୍କୁ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣା ପ୍ରଚାରିତ ହେବା ପରେ ନେଇ ଗାଁରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।
ସୂଚନା ଯେ, ରବିବାର ବିଳମ୍ବିତ ରାତ୍ରିରେ କାଠଖୁଣ୍ଟ ଗ୍ରାମରେ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାଯାଇଛି । ଗ୍ରାମର ଜନୈକ ଯୁବକ ଆଲୋକ ମହାଳିକ ଓ ବାଦଲ ମହାଳିକ ଭୋଜି କରିଥିଲେ। ଭୋଜି କରି ଘରକୁ ଫେରିବା ସମୟରେ ଗାଁ କଥାକୁ ନେଇ ବଚସା ହୋଇଥିଲା। ଏନେଇ ଆଲୋକ ଘରକୁ ଆସୁଥିଲା ବେଳେ ବାଦଲ ମହାଳିକର ପରିବାର ମିଶି ଆଲୋକଙ୍କ ସମେତ ମା’ ବିନି ମହାଳିକ ଓ ବାପା ଶିଵ ମହାଳିକକୁ ଖଣ୍ଡା ଓ ଭୁଜାଲିରେ ଆକ୍ରମଣ କରିଥିଲେ। ଘଟଣା ସ୍ଥଳରେ ମା’ ବିନିଙ୍କ ମୃତ୍ୟୁ ହୋଇଥିଲା ବେଳେ ବାପା ଶିବ ଏବଂ ପୁଅ ଆଲୋକଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ନରସିଂହପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଉଭୟଙ୍କ ଅବସ୍ଥା ଗୁରୁତର ହେବାରୁ ବର୍ତ୍ତମାନ କଟକ ବଡ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟପଟେ ବିର ମହାଳିକ, ବାଦଲ ମହାଳିକ ଏବଂ ସବିତା ମହାଳିକଙ୍କ ପରିବାର ଘଟଣା ଘଟାଇ ଫେରାର ହୋଇଥିବା ଜଣାପଡିଛି। ଘଟଣା ସ୍ଥଳରେ ନରସିଂହପୁର ପୋଲିସ ସହ ଆଠଗଡ଼ ଏସଡ଼ିପିଓ ଦେବେନ୍ଦ୍ର ମଲ୍ଲିକ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ପୂର୍ବ ଶତ୍ରୁତାରୁ ଏଭଳି ଅଘଟଣ ଘଟିଥିବା ପ୍ରାଥମିକ ନଦନ୍ତରୁ ଜଣାପଡ଼ିଛି।
