ହତ୍ୟା ମାମଲା : ୨ଜଣଙ୍କୁ ଆଜୀବନ କାରାଦଣ୍ଡ
ବାଲେଶ୍ୱର : ବାଲେଶ୍ୱର ଜିଲା ଦୌରାଜଜ୍ ଅଶାନ୍ତ ଦାସ ଏକ ହତ୍ୟା ମାମଲାର ବିଚାର କରି ବୁଧବାର ଅଭିଯୁକ୍ତ ୨ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ସେମାନଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ୧୦ହଜାର ଟଙ୍କା ଜରିମାନା ଓ ଅନାଦେୟ ଏକବର୍ଷ ଜେଲ୍ ଦଣ୍ଡର ରାୟ ଶୁଣାଇଛନ୍ତି ।
ସୂଚନା ଯେ, କମର୍ଦ୍ଦା ଥାନା ଅନ୍ତର୍ଗତ ହରିଣପୁଲି ଗ୍ରାମର ନାରାୟଣ ଗିରି ଓ ମଧୁସୂଦନ ଗିରିଙ୍କ ସହିତ ଗତ ୨୦୧୮ ଫେବୃଆରୀ ୧୨ ତାରିଖ ପୂର୍ବାହ୍ନରେ ବିଲରେ ପାଣି ମଡ଼ାଇବାକୁ ନେଇ ଉକ୍ତ ଗ୍ରାମର ଦୁର୍ଗାଶଙ୍କର ଦାସ ଓ ଲଳିତା ବେହେରାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଉତ୍କ୍ଷିପ୍ତ ହୋଇ ଦୁର୍ଗାଶଙ୍କର ଲଳିତାଙ୍କ ସହଯୋଗରେ ଏକ ଧାରୁଆ ଛୁରୀରେ ନାରାୟଣ ଓ ମଧୁସୂଦନଙ୍କୁ ଆକ୍ରମଣ କରି ହତ୍ୟା କରିଥିଲେ । ଏନେଇ ମୃତକଙ୍କ ଭାଇ ପଦ୍ମଲୋଚନ ଗିରି କମର୍ଦ୍ଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ମୂଳେ ଥାନାରେ ମାମଲା (ନଂ. ୧୦ ।୧୮) ରୁଜୁ କରାଯାଇ ଦୁର୍ଗାଚରଣକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ଲଲିତା ଗିରଫ ହୋଇନଥିଲେ । ମାନ୍ୟବର ବିଚାରପତି ଉକ୍ତ ମାମଲାର ୧୬ ସାକ୍ଷ୍ୟ ଓ ୧୭ ଦଲିଲ୍ ଦସ୍ତାବିଜ୍ ଏବଂ ଗୋଟିଏ ଛୁରି ଉପସ୍ଥାପନ ପୂର୍ବକ ଉପରୋକ୍ତ ଦଣ୍ଡରେ ଦଣ୍ଡିତ କରିଛନ୍ତି । ସରକାରଙ୍କ ପକ୍ଷରୁ ପବ୍ଲିକ ପ୍ରସିକ୍ୟୁଟର ପ୍ରଶାନ୍ତ କୁମାର ମଲ୍ଲିକ ମାମଲାର ପରିଚାଳନା କରୁଥିଲେ ।
