ମୁଗୁପୁର ସମାଚାର ୧୧ତମ ସ୍ୱନକ୍ଷତ୍ର ଅନୁଷ୍ଠିତ ସାରସ୍ୱତ ପ୍ରତିଭାଧାରୀ ସମ୍ମାନିତ
ଭୁବନେଶ୍ୱର : ମାସିକ ଖବର କାଗଜ ମୁଗୁପୁର ସମାଚାରର ୧୧ତମ ସ୍ୱନକ୍ଷତ୍ର ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ହେବା ସହ ଖବର କାଗଜ ଉନ୍ମୋଚିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଉଦ୍ଘାଟକ ଭାବେ ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲ, ମୁଖ୍ୟ ଅତିଥି ଭାବେ ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ବାଗ୍ମୀ ପ୍ରଦ୍ୟୁମ୍ନ ଶତପଥୀ, ସମ୍ମାନିତ ଅତିଥି ଭାବେ ଯୁବ ସାମ୍ବାଦିକ ଭବାନୀ ଶଙ୍କର ମହାପାତ୍ର, ବରେଣ୍ୟ ଅତିଥି ଭାବେ ସ୍ତମ୍ଭକାର ବୃହସ୍ପତି ସାମଲ ଓ ଜନସେବକ ଫାଉଣ୍ଡେସନର ସଭାପତି ସୁରେନ୍ଦ୍ର କୁମାର ସାହୁ ଯୋଗଦେଇ ଗ୍ରାମାଂଚଳରେ ଆଂଚଳିକ ସମ୍ବାଦପତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମତବ୍ୟକ୍ତ କରିବା ସହିତ ସାମ୍ବାଦିକତାର ପଥ କଂଟକିତ ହେଲେ ମଧ୍ୟ ସତ୍ୟ, ନିର୍ଭିକ ଦୃଢ଼ ନିଶ୍ଚୟ, ଗଭୀର ଆତ୍ମବିଶ୍ୱାସ ଓ ଅଧ୍ୟୟନ ଦ୍ୱାରା ଜଣେ ସଫଳ ସାମ୍ବାଦିକ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । “ରାଜନୀତିଯୁକ୍ତ ସାମ୍ବାଦିକତା ଗଣତନ୍ତ୍ର ପାଇଁ ଶୁଭଙ୍କର କି?” ଶୀର୍ଷକ ଆଲୋଚନାଚକ୍ରରେ ମତବ୍ୟକ୍ତ କରି ମୁଖ୍ୟବକ୍ତା ଶ୍ରୀଯୁକ୍ତ ଶତପଥୀ କହିଥିଲେ ଯେ, ଏହା ଶୁଭଙ୍କର ଅଟେ । ରାଜନୀତି କ୍ଷେତ୍ରରେ ଅଭିଜ୍ଞତା ସମ୍ପନ୍ନ ବ୍ୟକ୍ତିତ୍ୱ ଯଦି ଗଣମାଧ୍ୟମକୁ ଆସନ୍ତି ତେବେ ସରକାରଙ୍କ ନୀତି ଓ ଆଇନକୁ ସଠିକ୍ ଭାବେ ଲୋକଲୋଚନକୁ ଆଣିପାରିବେ । ସଂପାଦକ ମଦନ ମୋହନ ପାଢ଼ୀ ସମ୍ପାଦକୀୟ ବିବରଣୀ ପାଠ କରି ମତବ୍ୟକ୍ତ କରିଥିଲେ ଯେ, ଅଧୁନା ସମୟରେ ଖବରକାଗଜଟିଏ ଚଳାଇବା ବହୁକଷ୍ଟକର । ମାତ୍ର ଦୃଢ଼ ନିଶ୍ଚୟ ଓ ମା\’ ମାଟି, ମାତୃଭାଷା ପାଇଁ ସମର୍ପିତ ଭାବେ କାର୍ଯ୍ୟଧାରା ଅବିରତ ବଜାୟ ରଖିଲେ ସବୁ ସମ୍ଭବ ହୋଇପାରିବ । ଏହି ଅବସରରେ ବିଭିନ୍ନ ସାରସ୍ୱତ କ୍ଷେତ୍ରରେ ପ୍ରତିଭାଧାରୀ ବ୍ୟକ୍ତିତ୍ୱକୁ ସମ୍ମାନିତ କରାଯାଇଥିଲା । ପ୍ରମୁଖ ପ୍ରତିଭାଧାରୀ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ବିଶିଷ୍ଟ ଅଭିନେତା ଅଶ୍ରୁମୋଚନ ମହାନ୍ତି, ଶିଶୁ ସାହିତ୍ୟିକା ମନିଷା ରାୟ, ସାମ୍ବାଦିକ ସୌଭାଗ୍ୟ ରଂଜନ ମହାନ୍ତି, ସମାଜସେବୀ ନାରାୟଣ ଓଝା, ପରିବେଶବିତ୍ ଖିରୋଦ କୁମାର ସାହୁ, ଦିବ୍ୟାଙ୍ଗ ସମାଜସେବିକା ନମ୍ରତା ବେହେରା, ଶିଭମ୍ ଶିକ୍ଷାନୁଷ୍ଠାନ, ମା\’ ତାରିଣୀ ସେବାସଂଘ, ସପୋର୍ଟିଭ୍ ହ୍ୟାଣ୍ଡସ୍, ବରିଷ୍ଠ କବି ପୂର୍ଣ୍ଣଚନ୍ଦ୍ର ସୁନାନୀ ପ୍ରମୁଖଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । କାର୍ଯ୍ୟକ୍ରମକୁ ସଂଯୋଜିକା ଅନିତା ତରାଇ ସଂଯୋଜନା କରିଥିବାବେଳେ ସହାୟତା କରିଥିଲେ ଜନସେବକ ଫାଉଣ୍ଡେସନର କର୍ମକର୍ତ୍ତା ଓ ଶିଭମ୍ ଚାରିଟେବଲ୍ ଟ୍ରଷ୍ଟର ସଦସ୍ୟସଦସ୍ୟାମାନେ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସହ ସଂପାଦକ ଅରବିନ୍ଦ ତ୍ରିପାଠୀ ।
