ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ମାତୃ କର୍ମଶାଳା
ଯାଜପୁର : ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କବୀରପୁର ଠାରେ ମଙ୍ଗଳବାର ଦିନ ଶିଶୁ ମାନଙ୍କୁ ଉତ୍ତମ ଭାବେ ଗଢ଼ିବା ନିମିତ୍ତ ବିଦ୍ୟାଳୟର ମା”ମାନଙ୍କୁ ନେଇ ଏକ ମାତୃ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଯାଜପୁର ଆଶାକର୍ମୀ ସଂଘର ସମ୍ପାଦିକା ଶ୍ରୀମତୀ ରଞ୍ଜିତା ନାୟକ ଯୋଗଦାନ କରି ଶିଶୁର ଚରିତ୍ର ଗଠନରେ ମାଆର ଭୂମିକା ଓ ତାହାର ସର୍ବାଙ୍ଗୀନ ବିକାଶ ନିମନ୍ତେ ମାତୃସ୍ନେହର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ । ବିଦ୍ୟାଳୟର କୋଷାଧ୍ୟକ୍ଷ ବଟକୃଷ୍ଣ ସାହୁ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ତ୍ରିଲୋଚନ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବା ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବିଦ୍ୟାଳୟର ପରିଚାଳନା ସମିତିର ସଦସ୍ୟା ଶ୍ରୀମତୀ ସୁଲୋଚନା ବେହେରା ଓ ନିହାରିକା ରଥ ପ୍ରମୁଖ ଯୋଗଦାନ କରିଥିଲେ । ସଂକୁଳ ଶିଶୁ ବାଟିକା ର ପ୍ରମୁଖ ଶ୍ରୀମତୀ ରୀତାଞ୍ଜଳି ନାୟକ ଶିଶୁର ବୈାଦ୍ଧିକ ବିକାଶରେ ମାଆର ଭୂମିକା କିପରି ହେବା ଉଚିତ ପ୍ରତ୍ୟକ୍ଷ ଭାବେ ମାଆ ମାନଙ୍କୁ ପ୍ରଶିକ୍ଷିତ କରିଥିଲେ । ବିଦ୍ୟାଳ୍ରର ଶିଶୁ ବାଟିକା ପ୍ରମୁଖ ସିଦ୍ଧାର୍ଥ ଶଙ୍କର ପଣ୍ଡାଙ୍କ ସଂଯୋଜନାରେ ସମସ୍ତ ଗୁରୁଜୀ ଗୁରୁମା’ଙ୍କ ସହଯୋଗରେକର୍ମଶାଳାଟି ଆୟୋଜିତ କରାଯାଇଥିଲା । ଏହି କର୍ମଶାଳାରେ ମୁଖ୍ୟ ଆକର୍ଷଣ ମା’ ମାନଙ୍କ ଦ୍ୱାରା ଶିଶୁ ମାନଙ୍କ ଉପଯୋଗୀ ସ୍ୱଦେଶୀ ଖାଦ୍ୟ ପ୍ରସ୍ତୁତିର ପ୍ରଦର୍ଶନ କରାଯାଇଥିଲା । କୁନିକୁନି ଶିଶୁ ଭାଇ ଭଉଣୀ ମାନଙ୍କ ଦ୍ୱାରା ପ୍ରଦର୍ଶିତ ନାଟକ ‘କାହାଣୀ ଟିଏ କହି ଦିଅ ମା’ ସମସ୍ତ ଉପସ୍ଥିତ ଅତିଥି ଓ ମା’ ମାନଙ୍କୁ ମୁଗ୍ଧ କରିଥିଲା । ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରିଥିବା ମା’ମାନଙ୍କ ମଧ୍ୟରୁ ୩୦ଜଣଙ୍କୁ ପୁରସ୍କୃତ କରାଯାଇଥିଲା ।
