ଗଣଶିକ୍ଷା ମନ୍ତ୍ରୀଙ୍କ ଘର ଆଗରେ ମା’-ପୁଅଙ୍କ ଆତ୍ମାହୁତି ଉଦ୍ୟମ
ଭୁବନେଶ୍ୱର : ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶଙ୍କ ଘର ଆଗରେ ଆତ୍ମାହୁତି ଉଦ୍ୟମ କରିଛନ୍ତି ମାଟ୍ରିକ ଅଫଲାଇନ ଫର୍ମଫିଲପକୁ ନେଇ ଅସନ୍ତୁଷ୍ଟ ଥିବା ମା’ ଓ ପୁଅ । କିରାସିନି ବୋତଲ ଧରି ଆତ୍ମାହୁତି ଉଦ୍ୟମ କରୁଥିବା ବେଳେ ପୋଲିସ୍ ଉଭୟଙ୍କୁ କାବୁ କରିବା ସହ କ୍ୟାପିଟାଲ ଥାନାରେ ଅଟକ ରଖି ବୁଝାସୁଝା କରୁଛି । ଏ ନେଇ ଛାତ୍ର ଇମ୍ରାନ୍ ଖାନଙ୍କ ମା’ ଯସ୍ମିନ୍ କହିଛନ୍ତି, ମୋ ପୁଅକୁ ପରୀକ୍ଷା ଦେବାକୁ ସୁଯୋଗ ଦେବାକୁ ମନ୍ତ୍ରୀଙ୍କୁ ଭେଟି ତାଙ୍କୁ ଅନୁରୋଧ କରିବାକୁ ଚାହେଁ ।
ସୂଚନା ଅନୁଯାୟୀ କ୍ୟାପିଟାଲ ହାଇସ୍କୁଲରେ ଛାତ୍ର ଇମ୍ରାନ୍ ଖାନ୍ ଚଳିତବର୍ଷ ବିନା ପରୀକ୍ଷାରେ ବାହାରିଥିବା ରେଜଲ୍ଟରେ ୨୭୨ ନମ୍ୱର ରଖିଥିଲେ । କିନ୍ତୁ ସେ ପ୍ରଥମ ଶ୍ରେଣୀରେ ପାସ୍ କରିବେ ବୋଲି ତାଙ୍କ ମାଆ ଆଶା କରିଥିଲେ । ରେଜଲ୍ଟରେ ଅସନ୍ତୋଷ ପ୍ରକାଶ କରି ଇମ୍ରାନ୍ ଅଫଲାଇନରେ ପରୀକ୍ଷା ଦେବାକୁ ନିଷ୍ପତି ନେଇଥିବା ବେଳେ ସ୍କୁଲରେ ଫର୍ମ ଫିଲଅପ୍ ହୋଇପାରୁନଥିବା ସେମାବେ ଅଭିଯୋଗ କରିଛନ୍ତି । ଗତକାଲି ସ୍କୁଲ ଫର୍ମଫିଲପ କରାଇ ନଥିବାରୁ ଉଭୟ ମା ପୁଅ କ୍ୟାପିଟାଲ ସ୍କୁଲ ଆଗରେ ଧାରଣା ଦେଇଥିଲେ । ଧାରଣା ଦେବା ସମୟରେ ମା’ ଧମକ ଦେଇଥିଲେ ଯେ ଯଦି ତାଙ୍କ ପୁଅ ପରୀକ୍ଷା ଦେଇନପାରିଲା, ତାହେଲେ ସେ ଆତ୍ମହତ୍ୟା କରିବେ । ଗତକାଲି ଦୁହେଁ ସ୍କୁଲରେ ସାମ୍ନାରେ ଧାରଣା ଦେବା ସହିତ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ପୋଲିସ ସେମାନଙ୍କୁ ଉଦ୍ଧାର କରିଥିଲା । ଅପରପକ୍ଷରେ କ୍ୟାପିଟାଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ଅମର କୁମାର ବେହେରା କହିଛନ୍ତି, ଇମ୍ରାନ୍ ଙ୍କ ଅଭିଭାବକ ଦୁଇ ଥର ଆସି ଯୋଗାଯୋଗ କରିଥିଲେ । ଘରେ କଥାବାର୍ତା କରି ଫର୍ମ ପୂରଣ କରିବେ ବୋଲି କହିଥିଲେ । କିନ୍ତୁ ଫର୍ମପୂରଣ ଶେଷ ଦିନ ପର୍ଯ୍ୟନ୍ତ କେହି ଆସିଲେ ନାହିଁ । ଏବେ ଆଉ ଫର୍ମପୂରଣ ସମ୍ଭବ ନୁହେଁ ।
