ଆଜି ୧୦ ଜିଲାରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା
- ୩୦ ଯାଏଁ ସାରା ରାଜ୍ୟରେ ବର୍ଷା
ଭୁବନେଶ୍ୱର : ଉତ୍ତର ବଙ୍ଗୋପସାଗର ଏବଂ ସଂଲଗ୍ନ ଅଞ୍ଚଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ବୁଧବାର ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି। ଏହା ବାଂଲାଦେଶ ଉପକୂଳ ଏବଂ ସଂଲଗ୍ନ ପଶ୍ଚିମବଙ୍ଗ ଅଞ୍ଚଳରେ ସକ୍ରିୟ ରହିଛି। ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଏହି ଲଘୁଚାପ କ୍ଷେତ୍ର ପ୍ରଭାବରେ ୩୦ ତାରିଖ ଯାଏଁ ଓଡ଼ିଶାର କେତେକ ଜିଲାର ଅଧିକାଂଶ ସ୍ଥାନରେ ବର୍ଷା ହୋଇପାରେ। ଅନ୍ୟପଟେ ରାଜ୍ୟରେ ବର୍ଷା ଅଭାବୀ ସ୍ଥିତି ଜାରି ରହିଛି । ଏବେ ବି ଅଧା ଓଡ଼ିଶାରେ ସ୍ୱାଭାବିକଠାରୁ କମ୍ ରହିଛି ବର୍ଷା। ଲଘୁଚାପ ପ୍ରଭାବରେ ରାଜ୍ୟରେ ଆଉ ଦୁଇ ଦିନ ବର୍ଷା ହୋଇପାରେ। ମାତ୍ର ବିଶେଷ ବଡ଼ ବର୍ଷା ସମ୍ଭାବନା ଦେଖାଯାଉନାହିଁ। ତେଣୁ ସ୍ଥିତି ସୁଧୁରିବା ସମ୍ଭାବନା କମ୍ ରହିଛି ।
ଲଘୁଚାପ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନଟ ଲଘୁଚାପରେ ପରିଣତ ହୋଇ ବାଂଲାଦେଶ ଉପକୂଳ ଓ ସଂଲଗ୍ନ ପଶ୍ଚିମବଙ୍ଗ ଉପରେ ଅଛି । ଏହା ପଶ୍ଚିମରେ ଗତି କରି ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଅତିକ୍ରମ କରିବ । ଏହା ପ୍ରଭାବରେ ଓଡ଼ିଶାରେ ୩୦ ତାରିଖ ଯାଏ ବର୍ଷା ହେବ । ମୁଖ୍ୟତଃ ଉତ୍ତର ଓଡ଼ିଶାରେ ହାଲୁକାରୁ ମଧ୍ୟମ ବର୍ଷା ହେବ । କେତେକ ଜାଗାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଦେବଗଡ, ଅନୁଗୋଳ, ସମ୍ବଲପୁର, ସୋନପୁର, ବରଗଡ, ଝାରସୁଗୁଡା ଏବଂ ଢେଙ୍କାନାଳ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଉପରୋକ୍ତ ଜିଲାଗୁଡିକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ୩୦ ତାରିଖରେ ଉତ୍ତର ଓଡ଼ିଶାରେ ମୁଖ୍ୟତଃ ବର୍ଷା ସମ୍ଭାବନା ଅଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ରେ ପ୍ରବଳରୁ ଅତି ପ୍ରବଳ ଏବଂ ନୂଆପଡ଼ା, ବଲାଙ୍ଗିର, ସୋନପୁର, କେନ୍ଦୁଝରରେ ପ୍ରବଳ ବର୍ଷା ହୋଇପାରେ । ସେଥିପାଇଁ ୩୦ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳ ଏବଂ ଉତ୍ତର ବଙ୍ଗୋପସାଗର ସଂଲଗ୍ନ ଗଭୀର ସମୁଦ୍ର ମଧ୍ୟରେ ପ୍ରବେଶ ନ କରିବାକୁ ମତ୍ସ୍ୟଜୀବୀକୁ ମନା କରାଯାଇଛି। ୩୧ରେ ବର୍ଷା ପରିମାଣ କମିବ । ତଥାପି କେତେକ ଜାଗାରେ ବର୍ଷା ହେବ। ଜୁନ୍ ପହିଲାରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୨% କମ୍ ବର୍ଷା ହୋଇଛି । ୧୫ଜିଲ୍ଲାରେ ବର୍ଷା ନିଅଣ୍ଟିଆ ରହିଛି । ଯାଜପୁରରେ ସ୍ୱାଭାବିକଠାରୁ ୪୯% କମ୍ ବର୍ଷା ହୋଇଥିବାବେଳେ ଭଦ୍ରକରେ ୪୫% କମ୍ ବର୍ଷା ହୋଇଛି । ବଲାଙ୍ଗିରରେ ୪୧% ବର୍ଷା ନିଅଣ୍ଟିଆ ଥିବାବେଳେ ନବରଙ୍ଗପୁର, ଗଜପତି, ରାୟଗଡ଼ା, କଳାହାଣ୍ଡିରେ ୩୫ ପ୍ରତିଶତ ଲେଖାଏଁ ବର୍ଷା କମ୍ ରହିଛି ।
