ମୋଦିଙ୍କ ବିମୁଦ୍ରୀକରଣ ନୀତି ସଂପୂର୍ଣ୍ଣ ଫେଲ ମାରିଛି : କଂଗ୍ରେସ
ଭୁବନେଶ୍ୱର : ବିମୁଦ୍ରିକରଣର ୬ବର୍ଷ ଭିତରେ ଆତଙ୍କବାଦ କାର୍ଯ୍ୟକଳାପ, ମାଓ ଏବଂ ନକ୍ସଲ କାର୍ଯ୍ୟକଳାପ କମିବା ପରିବର୍ତେ ବରଂ ଏହା ବହୁ ପରିମାଣରେ ବଢ଼ି ବଢ଼ି ଚାଲିଛି ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
ସେ କହିଛନ୍ତି ଯେ ୨୦୧୬ ନଭେମ୍ବର ମାସ ୮ ତାରିଖ ରାତି ୮ଟା ସମୟରେ ଭାରତ ବର୍ଷର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ବିମୁଦ୍ରିକରଣ ଘୋଷଣା କଲେ । ଏହି ନିଷ୍ପତିଯୋଗୁ ସେହି ସମୟ ଠାରୁ ଦେଶରେ ପ୍ରଚଳିତ ୫ଶହ ଏବଂ ୧ ହଜାର ଟଙ୍କା ନୋଟ ତାହାର ବୈଦ୍ଧତା ହରାଇଲା । ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ବିମୁଦ୍ରିକରଣ ସମ୍ବଦ୍ଧରେ ଉଦ୍ବୋଧନ ସମୟରେ ଦେଶରେ କଳାଧନ କାରବାରକୁ ସଂପୂର୍ଣ୍ଣ ନିଷିଦ୍ଧ କରିବା, ଜାଲ ନୋଟ କାରବାରକୁ ବନ୍ଦ କରିବା ଏବଂ ଆତଙ୍କବାଦ କାର୍ଯ୍ୟକଳାପ ଓ ମାଓବାଦୀ କାର୍ଯ୍ୟକଳାପକୁ ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆଣିବା୩. କଳାଧନର କାରବାର ଯୋଗୁଁ ସମାନ୍ତରାଳ ଅର୍ଥନୀତିକୁ ବନ୍ଦ କରିବା । ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କହିଥିଲେ ବିଦେଶ ଓ ଦେଶରେ ଗଚ୍ଛିତ କଳାଧାନକୁ ଫେରାଇ ଆଣିବେ ଏବଂ ପ୍ରତ୍ୟେକ ଜନତାଙ୍କ ଖାତାକୁ ୧୫ଲକ୍ଷ ଟଙ୍କା ଡିପୋଜିଟ କରିବେ । କିନ୍ତୁ ଯେଉଁସବୁ କାରଣ ଯୋଗୁଁ ଏଭଳି ଅପରିଣାମଦର୍ଶୀ, ଜନବିରୋଧି ତଥା ଦେଶର ଅର୍ଥନୀତିକୁ ପଙ୍ଗୁ କରିବାପାଇଁ ଯେଉଁ ନିଷ୍ପତି ନେଇଥିଲେ ଆଜି ତାହା ଗୋଟିଏ ବି ଫଳବତି ହୋଇନାହିଁ । ବିମୁଦ୍ରିକରଣ ସମୟରେ ଭାରତ ବର୍ଷର ସମୁଦାୟ ଚଳନ୍ତି ମୁଦ୍ରାର ପରିମାଣ ୧୭.୭୨ ଲକ୍ଷ କୋଟି ଟଙ୍କା ଥିଲା ବୋଲି ଅର୍ଥମନ୍ତ୍ରଣାଳୟ ତଥା ରିଜର୍ବବ୍ୟାଙ୍କ ସୂତ୍ରରୁ ପ୍ରକାଶ । କିନ୍ତୁ ଆଜି ବିମୁଦ୍ରୀକରଣର ୬ ବର୍ଷପରେ ଚଳନ୍ତି ମୁଦ୍ରାର ପରିମାଣ ଅକ୍ଟୋବର ୩୧, ୨୦୨୨ ସୁଦ୍ଧା ୩୦ଲକ୍ଷ ୮୮ ହଜାର ଟଙ୍କା ବୋଲି ରିଜର୍ବବ୍ୟାଙ୍କ ସୂତ୍ରରୁ ପ୍ରକାଶ । ତେଣୁ କାହା ସ୍ୱାର୍ଥରେ ଏଭଳି ଏକ ଭୁଲ ନିଷ୍ପତି ନରେନ୍ଦ୍ର ମୋଦିଙ୍କ ସରକାର ନେଇଥିଲେ କେବଳ ନିଜର ରାଜନୈତିକ ସ୍ୱାର୍ଥ ହାସଲ କରିବା ଏବଂ ନିଜ ଦଳ, ନେତା ଓ ପୁଞ୍ଜିପତି ବନ୍ଧୁମାନଙ୍କୁ ସ୍ୱାର୍ଥକୁ ପୂରଣ କରିବାପାଇଁ ଏ ନିଷ୍ପତି ନିଆଯାଇଥିଲା ବୋଲିକି ଆଜି କଂଗ୍ରେସ ପ୍ରଶ୍ନ କରୁଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ ଭାରତ ବର୍ଷର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିପାଇଁ ଦୁଃଖ ପ୍ରକାଶ କରନ୍ତୁ ଏବଂ ଭୁଲକୁ ସ୍ୱୀକାର କରନ୍ତୁ । ପ୍ରଦେଶ କଂଗ୍ରେସର ଏହି ସାମ୍ବଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ରଜନୀ କୁମାର ମହାନ୍ତି, ଯୁବ କଂଗ୍ରେସ ମୁଖପାତ୍ର ନଳିନୀକାନ୍ତ ନାୟକ ଏବଂ କଂଗ୍ରେସ ନେତା ଅଶୋକ କୁମାର ସ୍ୱାଇଁ ଉପସ୍ଥିତ ଥିଲେ ।
