ଭାରତ ଯୋଡ଼- ଓଡ଼ିଶା ପରିବର୍ତନ ଯାତ୍ରା ଜାମୁଝାଡ଼ି ଠାରେ ପଂହଚିଲା
ଭୁବନେଶ୍ୱର : ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ସପ୍ତମ ଦିନର ଭାରତ ଯୋଡ଼–ଓଡ଼ିଶା ଭଦ୍ରକ ଜିଲ୍ଲାର ଧାମନଗର ଛକ ଠାରୁ ଆରମ୍ଭ ହୋଇଥିଲା । ଏକ ବିଶାଳ ଶୋଭାଯାତ୍ରାରେ କଂଗ୍ରେସ କର୍ମୀମାନେ ଭଦ୍ରକ ସହାର ଆଡ଼କୁ ଅଗ୍ରସର ହେଲେ । ବାଟରେ ବାରିକପୁର, ବହୁଦରଡ଼ା, ବିଷ୍ଣୁପର, ଚିଙ୍ଗିଡ଼ିପୁର ଓ ଗେଲପୁର ଛକଠାରେ ଭଦ୍ରକ ଜିଲ୍ଲା କଂଗ୍ରେସ ପକ୍ଷରୁ ଉଚ୍ଛ୍ୱସିତ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଭଦ୍ରକ ସହର ଦେଇ ପଦଯାତ୍ରା ଭଦ୍ରକ କଂଗ୍ରେସ କାର୍ଯ୍ୟାଳୟରେ ପଂହଚିଥିଲା ଏବଂ ସେଠାରେ ମଧ୍ୟାହ୍ନ ଭୋଜନ ସମାପନ ପରେ ପୁର୍ନବାର ପଦଯାତ୍ରା ଆରମ୍ଭ ହୋଇଥିଲା । ରାଣିତାଲ ଠାରେ ବାଲେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ସଂଜୀବ ଗିରି, ଅନନ୍ତ ପ୍ରସାସ ସେଠୀ, ନବଜ୍ୟୋତି ପଟ୍ଟନାୟକ, ଅଶୋକ ଦାସ, ମଧୁସ୍ମିତା ସେଠୀ, ଗୌତମ ସାହୁ, ରଞ୍ଜନ ଦାସ, ତୁଷାରକାନ୍ତି ତପସ୍ୱୀ ଏବଂ ଅନ୍ୟାନ୍ୟ କର୍ମକର୍ତମାନେ ପିସିସି ସଭାପତିଙ୍କୁ ସ୍ୱାଗତ କରିଥିଲେ । ଜାମୁଝାଡ଼ି ଠାରେ ଶ୍ରୀ ଶରତ ପଟ୍ଟନାୟକଙ୍କୁ ଅଶୋକ ଦାସ ଏବଂ ବାସୁଦେବପୁର ନିର୍ବାଚନ ମଣ୍ଡଳୀର ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଏବଂ ବିଭିନ୍ନ ପଦାଧିକାରୀ ତାଙ୍କୁ ଉଛସିତ ସମ୍ବର୍ଦ୍ଧିତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଗଣମାଧ୍ୟମକୁ ସମ୍ବୋଦ୍ଧିତ କରି ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ ଆମେମାନେ ବ୍ରିଟିଶ ଶାସନର କୃୁରତା ବାବଦରେ ପାଠ୍ୟପୁସ୍ତକରେ ପଢ଼ୁଥିଲେ ଏବେ ବିଜେଡ଼ି ଓ ବିଜେପି ଶାସନରେ ତାହା ପ୍ରତ୍ୟକ୍ଷ ଅନୁଭବ କରୁଛେ । କଂଗ୍ରେସ ପ୍ରଦତ ବ୍ୟକ୍ତି ସ୍ୱାଧୀନତା ଓ ଅଧିକାର ଏହି ଦୁଇଟି ଫାଶିବାଦୀ ସରକାର ଲୋକଙ୍କ ଠାରୁ ଛଡ଼େଇ ନେଇଛନ୍ତି । ଦେଶ ଓ ରାଜ୍ୟକୁ ଦୁର୍ବଳ କରି ନିଜ ଦଳକୁ ସବଳ କରିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ମୁଖ୍ୟ ଏଜେଣ୍ଡା । କଂଗ୍ରେସ, ଲୋକଙ୍କର ସେବକଭାବେ କାର୍ଯ୍ୟକରୁଥିବା ବେଳେ ଏମାନେ କଳ କୌଶଳ କରି ଉତ୍ପୀଡ଼କ ଶାସକ ହେବାକୁ ସମସ୍ତ କୁପଥ ଅବଲମ୍ବନ କରୁଛନ୍ତି । କେନ୍ଦ୍ର ଓ ରାଜ୍ୟର ଯୋଜନା ମାଳ ମାଳ ହେଲେ ଓଡ଼ିଶାର ଦୁର୍ଗତୀ ଓ ଦୟନିୟ ଅବସ୍ଥା ଅସମ୍ଭାଳ । ସାଧାରଣ ଜନତାଙ୍କ ସ୍ୱାର୍ଥକୁ ଉପେକ୍ଷା କରି ଏଠି ବିଜେଡ଼ି ସରକାର ରାଜକୋଷ ହରିଲୁଟ କରି ଦଳୀୟକର୍ମୀ ପୋଷଣ କରୁଛି । ମୋଦିଙ୍କ ଶାସନ ଯେତେଦେିନ ରହିବ ଦିନକୁ ଦିନ ଦେଶର ଭାଇଚାରା ଦୁର୍ବଳ ହୋଇଯିବ । “ବନ୍ଦେ ଉତ୍କଳ ଜନନୀ”ର ସ୍ରଷ୍ଟା କାନ୍ତକବି ଲକ୍ଷ୍ମିକାନ୍ତ ମହାପାତ୍ର, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମହାନସ୍ୱାଧୀନତା ସଂଗ୍ରାମୀ ଓ ନବଉତ୍କଳର ନିର୍ମାତା ଡ. ହରେକୃଷ୍ଣ ମହତାବଙ୍କର ଓଡ଼ିଶା, ଓଡ଼ିଆ ଓ ଓଡ଼ିଆ ଭାଷାପ୍ରତି ଅତୁଳନୀୟ ଅବଦାନ ସଂପର୍କରେ ଆଲୋକପାତ କରିଥିଲେ । ଭଦ୍ରକର ସହୀଦ ନଗର ଓ ରକ୍ତତୀର୍ଥ ଇରମର ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ତ୍ୟାଗ ଓ ବଳିଦାନର ସ୍ମୃତି ମନ୍ଥନ କରିଥିଲେ । ଭଦ୍ରକ ଜିଲ୍ଲାର ଜନସାଧାରଣଙ୍କର ତିନୋଟି ପ୍ରମୁଖ ଦାବୀ ପ୍ରଦଶେ କଂଗ୍ରେସ ସଭାପତି ଶ୍ରୀ ପଟ୍ଟନାୟକ ଏବଂ କଂଗ୍ରେସ ଦଳର ବରିଷ୍ଠ କଂଗ୍ରେସ ନେତୃବର୍ଗ ତଥା ଭାରତ ଯୋଡ଼ ଯାତ୍ରୀଙ୍କ ସମ୍ମୁଖରେ ରଖିଥିଲେ । ଭଦ୍ରକରେ ଅତିଶୀଘ୍ର ଏକ ମେଡିକାଲ କଲେଜ, ଭଦ୍ରକ ମୁଖ୍ୟ ଚିକିତ୍ସାଳୟର ସବୁ ବିଭାଗରେ ପୂର୍ଣ୍ଣାଙ୍ଗ ଡାକ୍ତର, ଆଧୁନିକ ଯନ୍ତ୍ରପାତି ତଥା ରୋଗୀ ଶଯ୍ୟା ବୃଦ୍ଧି, ଧାମରା ବନ୍ଦରରେ ଭଦ୍ରକ ଜିଲ୍ଲାର ଲୋକମାନଙ୍କୁ ନିଯୁକ୍ତିରେ ଅଗ୍ରାଧିକାର, ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟରେ ରୁପାନ୍ତରିକରଣ ତଥା ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ନାମ ଲେଖା ଜାଲିଆତିରେ ସଂପୃକ୍ତ ବ୍ୟକ୍ତବିଶେଷଙ୍କୁ କୋଠର ଦଣ୍ଡବିଧାନ ହେଉ ବୋଲି ଦାବି ରଖିଥିଲେ । ଭଦ୍ରକ ସହରକୁ ଏକ ନିଶାମୁକ୍ତ ସହର ଏବଂ ଭାଇଚାରାର ସହର ରୂପେ ଗଢ଼ିତୋଳିବା ପାଇଁ ଦାବି ରଖିଥିଲେ ।
