ମିନି ଟ୍ରକ ଓ ସ୍ୱିଫ୍ଟ କାର୍ ମୁହାଁ ମୁହିଁ ଧକ୍କା, ୨ ଆହତ
ଯାଜପୁର : କୁଆଖିଆ-କୟାଁଗୋଲା ୨୦ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ କାଟିଆ ଛକ ରାସ୍ତାରେ ମିନିଟ୍ରକ (୪୦୭) ଓ ସ୍ୱିଫ୍ଟ କାର ମଧ୍ୟରେ ମୁହାଁ ମୁହିଁ ଧକ୍କା ଯୋଗୁ ୨ଆହତ ହୋଇଥିବା ଜଣାଯାଇଛି । ସୂଚନାମୁତାବକ ସନ୍ଧ୍ୟା ପ୍ରାୟ ୭.୩୦ ସମୟରେ ଯାଜପୁର ଟାଉନ ପଟୁ କୁଆଖିଆ – କୟାଁଗୋଲା ୨୦ ନମ୍ବର ଜାତୀୟ ରାଜପଥରେ ଯାଉଥିବା ସ୍ୱିଫ୍ଟ କାର (ଓଡ଼ି୩୪ପି୭୭୮୫)ର ଚାଳକ ରାସ୍ତାରେ ଚଳପ୍ରଚଳ କରୁଥିବା ଏକ ଷଣ୍ଢକୁ ବଞ୍ଚାଇବାକୁ ଯାଇ ଗାଡ଼ିରୁ ନିୟନ୍ତ୍ରଣ ହରାଇବା ସହିତ ବିପରିତ ମଙ୍ଗଳପୁର ବଜାର ପଟୁ ଆସୁଥିବା ମିନିଟ୍ରକ (ଓଡ଼ି ୩୪ଜି୭୫୭୫) ସହିତ ମୁହାଁ ମୁହିଁ ଧକ୍କା ହୋଇଥିଲା । ଫଳରେ ଉଭୟ ଗାଡ଼ିରେ ଥିବା ଜଣେ ଲେଖାଏଁ ଆହତ ହୋଇଥିଲେ । ଆହତଙ୍କ ପରିଚୟ ସ୍ପଷ୍ଟ ହୋଇନଥିବା ବେଳେ ୨ଆହତଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ଡାକ୍ତର ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିବା ଜଣାଯାଇଛି ।
