୨୦ରେ ସଂସଦ ଭବନ ପରିସରରେ ମିଲେଟ ଖାଦ୍ୟ ମହୋତ୍ସବ
ନୂଆଦିଲ୍ଲୀ : ଆସନ୍ତା ଡିସେମ୍ବର ୨୦ ତାରିଖରେ ସଂସଦ ସଦସ୍ୟମାନଙ୍କ ପାଇଁ ସଂସଦ ଭବନ ପରିସରରେ ଏକ ମିଲେଟ୍ ଖାଦ୍ୟ ମହୋତ୍ସବ ଆୟୋଜନ କରୁଛି କୃଷି ମନ୍ତ୍ରଣାଳୟ । ଏହି ପରିପ୍ରେକ୍ଷୀରେ ଶନିବାର କୃଷି ରାଷ୍ଟ୍ର ମନ୍ତ୍ରୀ ଶୋଭା କରନ୍ଦଲାଜେ ବରିଷ୍ଠ କୃଷି ଏବଂ ଆଇସିଆର ଅଧିକାରୀଙ୍କ ସହ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।
ମିଲେଟ ଖାଦ୍ୟ ମହୋତ୍ସବରେ ମିଲେଟର ବ୍ରାଣ୍ଡିଂ ଏବଂ ଏହି ଜାତୀୟ ଖାଦ୍ୟ ପ୍ରଦର୍ଶିତ ହେବ ଏବଂ ସଂସଦ ଭବନ ପରିସରରେ ସଂସଦ ସଦସ୍ୟଙ୍କୁ ମିଲେଟରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀ ପରିବେଷଣ କରାଯିବ। ସମ୍ପ୍ରତି ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ ଇଟାଲୀର ରୋମରେ ଆନ୍ତର୍ଜାତୀୟ ବର୍ଷ ମିଲେଟ୍-୨୦୨୩ ପାଇଁ ଏକ ଉଦଘାଟନୀ ସମାରୋହ ଆୟୋଜନ କରିଥିଲେ। ମିଳିତ ଜାତିସଂଘର ସାଧାରଣ ପରିଷଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୦୨୩କୁ ଆନ୍ତର୍ଜାତୀୟ ମିଲେଟ ବର୍ଷ ଭାବରେ ପାଳନ କରିବାକୁ ଦେଇଥିବା ପ୍ରସ୍ତାବକୁ ଗ୍ରହଣ କରିଛି ।
ଭାରତରେ ପ୍ରଥମ ଫସଲ ମଧ୍ୟରେ ‘ମିଲେଟସ୍’ ଥିଲା, ଯାହାକି ସିନ୍ଧୁ ଉପତ୍ୟକା ସଭ୍ୟତା ସମୟରେ ଏହାର ବ୍ୟବହାର ହେବାର ଅନେକ ପ୍ରମାଣ ଥିଲା। ଏସିଆ ଏବଂ ଆଫ୍ରିକା ମହାଦେଶର ୧୩୦ ରୁ ଅଧିକ ଦେଶରେ ୫୦ କୋଟିରୁ ଅଧିକ ଲୋକଙ୍କ ପାଇଁ ମିଲେଟ୍ସ ହେଉଛି ପାରମ୍ପାରିକ ଖାଦ୍ୟ।
