ଆଜି ଭାରତୀୟ ନୌସେନାରେ ସାମିଲ ହେବ ଆଇଏନ୍ଏସ୍ ମୋର୍ମୁଗାଓ
ନୂଆଦିଲ୍ଲୀ : ଆହୁରୀ ଶକ୍ତିଶାଳୀ ହେବ ଭାରତୀୟ ନୌସେନା । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପି୧୫ବି ଷ୍ଟିଲ୍ଥ ଗାଇଡେଡ୍ ମିଶାଇଲ ବିଧ୍ୱଂସକାରୀ ଯୁଦ୍ଧଜାହାଜ ଆଇଏନ୍ଏସ୍ ମୋର୍ମୁଗାଓ ରବିବାର ଭାରତୀୟ ନୌସେନାରେ ସାମିଲ ହେବ ।
ଭାରତ ମହାସାଗରରେ ଚୀନ୍ର ଉପସ୍ଥିତିକୁ ଚ୍ୟାଲେଞ୍ଜ କରିବା ସହ ଏହା ଭାରତୀୟ ନୌସେନାର ଶକ୍ତି ବୃଦ୍ଧି କରିବ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନୌସେନା ଡକୟାର୍ଡ, ମୁମ୍ବାଇରେ ଏହାକୁ ନୌସେନାରେ ସାମିଲ କରାଇବେ । ମାଜାଗନ୍ ଡକ୍ ଶିପ୍ବିଲ୍ଡର୍ସ ଲିମିଟେଡ୍, ମୁମ୍ବାଇ ଦ୍ୱାରା ନିର୍ମିତ ଏହି ଯୁଦ୍ଧଜାହାଜର ଡିଜାଇନ୍ ୱାର୍ଶିପ୍ ଡିଜାଇନ ବ୍ୟୁରୋ କରିଛି ।
ଗତ ବର୍ଷ ଡିସେମ୍ବର ୧୯ରେ ପ୍ରଥମ କରି ଆଇଏନ୍ଏସ୍ ମୋର୍ମୁଗାଓର ଜଳାବତରଣ କରାଯାଇଥିଲା । ଏହଦିନ ଗୋଆ ପର୍ତ୍ତୁଗାଲ ଶାସନରୁ ସ୍ୱାଧୀନ ହେବାର ୬୦ ବର୍ଷ ପୂରଣ କରିଥିଲା । ଏହି ଶକ୍ତିଶାଳୀ ଯୁଦ୍ଧଜାହାଜର ଲମ୍ବ ୧୬୩ ମିଟର ଏବଂ ପ୍ରସ୍ତ ୧୭ ମିଟର । ଏହାର ଓଜନ ୭,୪୦୦ ଟନ୍ । ଏଥିରେ ୪ ଶକ୍ତିଶାଳୀ ଗ୍ୟାସ୍ ଟର୍ବାଇନ ରହିଥିବାବେଳେ ସମୁଦ୍ରରେ ୩୦ ନଟ୍ରୁ ଅଧିକ ବେଗରେ ଗତିକରିପାରିବ । ଯୁଦ୍ଧରେ ଆଣବିକ, ଜୈବିକ, ରାସାୟନିକ ଆକ୍ରମଣ ଭଳି ସ୍ଥିତିକୁ ମଧ୍ୟ ଏହି ଜାହାଜ ମୁକାବିଲା କରିପାରିବ ।
