ଏଫ୍ଏମ୍ୟୁ ଓ ଆଇସିଏଆର୍-ସିଆଇଏଫ୍ଏ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ
ବାଲେଶ୍ୱର : ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ ଓ ସେଣ୍ଟ୍ରାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫ୍ରେଶୱାଟର ଆକ୍ୱାକଲଚର, ଭୁବନେଶ୍ୱର ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି । ଶିକ୍ଷାଦାନ ଓ ଗବେଷଣା କ୍ଷେତ୍ରରେ ସହଯୋଗ ଓ ସମ୍ପ୍ରସାରଣକୁ ଦୃଷ୍ଟିରେ ରଖି ଗୁରୁବାର ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଏକ ସଭାରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ସଭାରେ ଯୋଗଦେଇ ସେଣ୍ଟ୍ରାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫ୍ରେଶୱାଟର ଆକ୍ୱାକଲଚର, ଭୁବନେଶ୍ୱରର ନିର୍ଦ୍ଦେଶକ ଡ. ସରୋଜ କୁମାର ସ୍ୱାଇଁ ଏହି ବୁଝାମଣା ପତ୍ର ଉଭୟ ଅନୁଷ୍ଠାନ ପାଇଁ ନିଶ୍ଚିତ ରୂପେ ଲାଭଦାୟକ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ।
ସଭା ଆରମ୍ଭରେ ବିଶ୍ୱବିଦ୍ୟାଳୟର ବିଏସ୍ବିଟି ବିଭାଗର ମୁଖ୍ୟ ଡ. ଭାସ୍କର ବେହେରା ଉପସ୍ଥିତ ଥିବା ସମସ୍ତ ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀଶିକ୍ଷକ ଓ ବିଶେଷ ବ୍ୟକ୍ତିମାନଙ୍କୁ ସ୍ୱାଗତ ଜଣାଇବା ସହ ଏହି ବୁଝାମଣା ପତ୍ର ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ମୁନେଶ ଚନ୍ଦ୍ର ଅଧିକାରୀ ଏହାକୁ ଏକ ଐତିହାସିକ ଘଟଣା ବୋଲି ମତପ୍ରକାଶ କରି ଏହା ଛାତ୍ରୀଛାତ୍ରମାନଙ୍କ ଶୈକ୍ଷିକ ବିକାଶ ପାଇଁ ବିଶେଷ ଭାବେ ଲାଭଦାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ । କୁଳସଚିବ କୁକୁମିନା ଦାସ ଏହାକୁ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିବା ସହ ଏହା ଏକ ଉନ୍ନତ ଶିକ୍ଷା ଓ ଗବେଷଣା ଭିତ୍ତିଭୂମି ପ୍ରତିଷ୍ଠା କରିବାରେ ସହାୟକ ହେବ ବୋଲି ନିଜର ମତ ପ୍ରକାଶ କରିଥିଲେ । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଏହି ଅବସରରେ ଅତ୍ୟନ୍ତ ଖୁସି ପ୍ରକାଶ କରିଥିଲେ ଓ ସେଣ୍ଟ୍ରାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫ୍ରେଶ୍ୱାଟର ଆକ୍ୱାକଲଚର, ଭୁବନେଶ୍ୱରକୁ ଏହି ବୁଝାମଣା ପାଇଁ ସହମତି ପ୍ରକାଶ କରିଥିବା ହେତୁ ବିଶ୍ୱବିଦ୍ୟାଳୟ ତରଫରୁ ନିଜର କୃତଜ୍ଞତା ଜଣାଇଥିଲେ । ବିଶ୍ୱବିଦ୍ୟାଳୟ ତରଫରୁ ହାତକୁ ନିଆଯାଇଥିବା ଧାନ-ପାନ-ମୀନ ପ୍ରକଳ୍ପର ସମ୍ପୂର୍ଣ୍ଣ ରୂପାୟନ ପାଇଁ ଏହି ବୁଝାମଣା ପତ୍ର ନିଶ୍ଚିତ ଭାବେ ସହାୟକ ହେବ ବୋଲି ନିଜର ଆଶା ପ୍ରକାଶ କରିଥିଲେ । ଶେଷରେ ଡ. ଭାରତ ଭୂଷଣ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
