ଜିଲ୍ଲାରେ ମେଗା ଆଇନ ସେବା ଶିବିର ଅନୁଷ୍ଠିତ
ଯାଜପୁର : ନ୍ୟାୟ ପାଇବା କେବଳ କୋର୍ଟ ଭିତ୍ତିକ ଆଇନ ସେବାରେ ସୀମିତ ନୁହେଁ । ଏହା ବିଭିନ୍ନ ନିୟମ ଏବଂ କଲ୍ୟାଣକାରୀ ଯୋଜନା ଏବଂ କାର୍ଯ୍ୟକ୍ରମ ଅଧିନରେ ଲୋକଙ୍କୁ ସେମାନଙ୍କର ଅଧିକାର ବିଷୟରେ ଅବଗତ କରାଇବା ଏବଂ ସମାନ ଭାବରେ ସେମାନଙ୍କର ପ୍ରବେଶକୁ ଦୃଢିକରଣ କରିବା ହିଁ ଆଇନ ସେବା ଶିବିରର ମୂଳ ଲକ୍ଷ ବୋଲି ମାନ୍ୟବର ଜିଲ୍ଲା ନ୍ୟାୟାଧିଶ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଦାମୋଦର ରଥ ପ୍ରକାଶ କରିଛନ୍ତି । ରବିବାର ପୂର୍ବାହ୍ନରେ ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନ ମିଳିତ ଆନୁକୁଲ୍ୟରେ ଏକ ମେଗା ଆଇନ ସେବା ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରକୁ ଜିଲ୍ଲା ଦୌରା ଜଜ୍ ଉଦଘାଟନ କରି କହିଲେ ଯେ ଆଇନର ଶାସନରେ ଆମେ ସଚେତନ ହେଲେ ସମାଜ ସଚେତନ ହେବ ଏବଂ ସମାଜ ସଚେତନ ହେଲେ ଦେଶ ସଚେତନ ହେବ । ଏଥିପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ମାଗଣା ପରାମର୍ଶ କେନ୍ଦ୍ର ଖୋଲା ଯାଇଛି । ଏଣୁ ଲୋକମାନଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ଆଇନକୁ ହାତକୁ ନ ନେଇ ସମାଜ ଗଠନ ଦିଗରେ ଲଗାଇବାକୁ ଜଷ୍ଟିସ ରଥ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ପୋକ୍ସୋ ଜଜ୍ ଶ୍ରୀମତି ଜାନକୀ ବିଶ୍ୱାଳ ତାଙ୍କ ବକ୍ତବ୍ୟରେ କହିଲେଯେ ଜନସାଧାରଣଙ୍କୁ ନ୍ୟାୟିକ ଅଧିକାର ଦେବା ଆମର କର୍ତ୍ତବ୍ୟ । ସରକାରଙ୍କର ଜନହୀତକର ଯୋଜନା ଲୋକଙ୍କୁ ଜଣାଇବା ପାଇଁ ଗାଁ ଗହଳିରେ ମଧ୍ୟ ଏହି ଶିବିରର ଆୟୋଜନ କରା ଯାଉଛି । ଆଇନର ପରିସରରେ ସମସ୍ତଙ୍କୁ ନ୍ୟାୟ ପ୍ରଦାନ ଏହି ଶିବିରର ଆଭିମୁଖ୍ୟ ବୋଲି ସେ କହିଥିଲେ । ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ତାଙ୍କ ବକ୍ତବ୍ୟରେ କହିଲେ ଯେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସରକାର ଯୋଜନା କରିଛିନ୍ତି । ଏହାର ସୁଫଳ କିପରି ଧାଡିର ଶେଷ ସୀମାରେ ଥିବା ଲୋକ ପାଖରେ ପହଞ୍ଚିବ ଏବଂ ସେମାନଙ୍କର ଅଧିକାର ବିଷୟରେ ସେମାନେ ସଚେତନ ହେବେ ଏହି ଉଦ୍ଦେଶ୍ୟରେ ଆଇନ ସେବା ଶିବିରର ଆୟୋଜନ । ଏଣୁ ସମସ୍ତେ ସଚେତନ ହୋଇ ଏହାର ସୁଯୋଗ ନେବା ଉଚିତ ବୋଲି ସେ ମତବ୍ୟକ୍ତ କରିଥିଲେ । ସରକାରୀ ସେବା ଆଇନ ପରିସରଭୁକ୍ତ । ଏହାକୁ ଲୋକାଭିମୁଖି କରିବାକୁ ନ୍ୟାୟପାଳିକା ତରଫରୁ ନିର୍ଦ୍ଦେଶ ରହିଛି । କଲ୍ୟଣକାରୀ ଯୋଜନା ଲୋକମାନଙ୍କ ନିକଟରେ ଆଇନର ବାଟରେ ପହଞ୍ଚୁ ଓ ସୁଫଳ ମିଳୁ । ଏଥିପାଇଁ ଜନସାଧାରଣଙ୍କ ସହଯୋଗ ଦରକାର ବୋଲି ଅତିରକ୍ତ ଜିଲ୍ଲାପାଳ ଦଃୁଖବନ୍ଧୁ ନାୟକ ତାଙ୍କ ବକ୍ତବ୍ୟରେ କହିଥିଲେ । ଏହି ଉପଲକ୍ଷେ ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗ ତରଫରୁ ୨୩ ଗୋଟି ଷ୍ଟଲ ଖୋଲା ଯାଇଥିଲା ଯେଉଁଥିରେ ସରକାରଙ୍କର ବିଭିନ୍ନ କଲ୍ୟାଣକାରୀ ଯୋଜନା ମାନ ପ୍ରଦର୍ଶନ କରାଯାଇଥିଲା । ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ୧୮୯ଜଣ ହୀତାଧିକାରୀଙ୍କୁ ଆମନ୍ତ୍ରିତ କରାଯାଇ ମୁଖ୍ୟ ଅତିଥିଙ୍କ ଦ୍ୱାରା ସେମାନଙ୍କର ପ୍ରାପ୍ୟ ପ୍ରଦାନ କରା ଯାଇଥିଲା । ଏଥିରେ ରାଜସ୍ୱ ବିଭାଗ, ପୋଲିସ, ଜିଲ୍ଲା ସଡକ ପରିବହନ ବିଭାଗ. ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ, ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ, ଜିଲ୍ଲା ସମାଜ ମଙ୍ଗଳ ବିଭାଗ,ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ,ମିଶନ ଶକ୍ତି ବିଭାଗ, ଅଗ୍ରଣୀ ବ୍ୟାଙ୍କ ସମୁହ, ମତ୍ସ୍ୟ ,ଜିଲ୍ଲା ପ୍ରାଣୀଧନ ବିଭାଗ,ପଞ୍ଚାୟତି ରାଜ ଓ ପୌର ପରିଷଦ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ପ୍ରାରମ୍ଭରେ ମୁଖ୍ୟ ବିଚାର ବିଭାଗୀୟ ମାଜଷ୍ଟ୍ରେଟ୍,ଯାଜପୁର ଶ୍ରୀଯୁକ୍ତ ହୃଷିକେଶ ସାହୁ ସମସ୍ତଙ୍କୁ ସ୍ୱାଗତ କରିବା ସହ ଶିବିରର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଜ୍ୟେତିର୍ମୟୀ ଦାସ ପ୍ରାରମ୍ଭିକ ସୂଚନା ଦେବା ସହ ଶିବିର ପରିଚାଳନା ଏବଂ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଶିବିରରେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିହଂ ରାଠୋର, ଆରକ୍ଷୀ ଅଧିକ୍ଷକ ରାହୁଲ ପି.ଆର, ଫ୍ୟାମିଲି କୋର୍ଟର ନ୍ୟାୟାଧିଶ ମମିତା ଦାସଙ୍କ ସମେତ ସମସ୍ତ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ, କର୍ମଚାରୀ, ଜିଲ୍ଲା ନ୍ୟାୟାଳୟର ଓ ଆଇନ ସେବା ପ୍ରାଧିକରଣର ଅଧିକାରୀ ଓ କର୍ମଚାରୀ, ହୀତାଧିକାରୀ, ବୁଦ୍ଧିଜିବୀ, ଓକିଲ, ସାମ୍ବାଦିକ ଓ ସାଧାରଣ ଜନତା ପ୍ରମୁଖ ଯୋଗ ଦେଇଥିଲେ ।
