ମେଗା ପାନୀୟ ଜଳ ପ୍ରକଳ୍ପ ; ପ୍ରଶାସନ ପ୍ରତିଶ୍ରୁତି ଖିଲାପ କଲେ ତେଜିବ ଆନ୍ଦୋଳନ
ଭୋଗରାଇ : ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଦେଉଳା ପଞ୍ଚାୟତ ଅଭୟମହଲ ଗ୍ରାମରେ ୧୧ମାସ ଧରି କଂଗ୍ରେସ ନେତୃତ୍ୱରେ ଚାଲି ଆସୁଥିବା ପାନୀୟ ମେଗା ଜଳ ପ୍ରକଳ୍ପ ସ୍ଥାନାନ୍ତର ଆନ୍ଦୋଳନ ଗ୍ରାମବାସୀଙ୍କ ସ୍ୱାର୍ଥ ଅନୁଯାୟୀ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି ବୋଲି ଗୁରୁବାର ସନ୍ଧ୍ୟାରେ କଂଗ୍ରେସ ଭବନ ଠାରେ ଏକ ଖବରଦାତା ସମ୍ମିଳନୀରେ ଦଳର ବରିଷ୍ଠ ନେତାମାନେ ମତପ୍ରକାଶ କରିଛନ୍ତି ।
ଗ୍ରାମବାସୀଙ୍କ ଆନ୍ଦୋଳନ ଯୋଗୁଁ ପ୍ରକଳ୍ପ ସ୍ଥାନରେ ୫ ଏକର ପରିବର୍ତ୍ତେ ୩ ଏକର ଜାଗାରେ ପ୍ରକଳ୍ପ ନିର୍ମାଣ ପାଇଁ ପ୍ରଶାସନ ରାଜି ହୋଇଥିବା ବେଳେ କୌଣସି ପରିବାରକୁ ବାସଚ୍ୟୁତ କରା ନଯିବା, ପାନବରଜ ନ ଭାଙ୍ଗିବା, କାଜୁ ଗଛ ଯେତିକି କଟାଯାଇଛି ତାହାର ତିନିଗୁଣ କାଜୁଗଛ ସେହି ଗ୍ରାମରେ ଅନ୍ୟ ପଡ଼ିଆରେ ଲଗାଯିବା, ଭୂମିହୀନ ଲୋକଙ୍କୁ ଜମି ଦେବା ଆବେଦନ କରିବାର ୧ମାସ ମଧ୍ୟରେ ୪ଡିସି ସ୍ଥାୟୀ ପଟ୍ଟା ପ୍ରଦାନ, ପ୍ରକଳ୍ପ ସ୍ଥାନରେ ୩/୪ ପରିବାରକୁ ଅନ୍ୟତ୍ର ଜାଗା ଦେବା, ପ୍ରକଳ୍ପରେ ସ୍ଥାନୀୟ ଗ୍ରାମବାସୀଙ୍କୁ ନିଯୁକ୍ତି ପ୍ରଦାନ ପ୍ରଭୃତି ୭ଦଫା ଦାବିରେ ପ୍ରଶାସନ, କମ୍ପାନୀ ପ୍ରତିଶ୍ରୁତି ଦେଇଥିବାରୁ ଏହି ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି ବୋଲି କଂଗ୍ରେସ ନେତାମାନେ ପ୍ରକାଶ କରିଛନ୍ତି । ପ୍ରଶାସନ, କମ୍ପାନୀ ଏହି ପ୍ରତିଶ୍ରୁତି କାର୍ଯ୍ୟକାରୀ ନକଲେ ପୁଣି ଗ୍ରାମବାସୀଙ୍କ ଦ୍ୱାରା ଆନ୍ଦୋଳନକୁ ତେଜିୟାନ କରାଯିବ ବୋଲି ନେତାମାନେ କହିଥିଲେ । ଏହି ଖବରଦାତା ସମ୍ମିଳନୀରେ କଂଗ୍ରେସ ନେତା ସତ୍ୟଶିବ ଦାସ, ଗୋବପନ୍ଧୁ ମହାପାତ୍ର, ସନ୍ତୋଷ କୁମାର ଜେନା, ସୁମନ୍ତ ବେହେରା ଦୀପେଶ ଚନ୍ଦ୍ର ରାୟ, ପ୍ରଦୀପ ନାୟକ, ଶିଶିର ଦାସ ମହାପାତ୍ର, ମମତା ସାହୁ, ମୀନାରାଣୀ ସୁର, ରାଜେନ୍ଦ୍ର ଦଳାଇ, କାର୍ତ୍ତିକ ଚନ୍ଦ୍ର ପାତ୍ର, ରାଜକିଶୋର ନାୟକ, ସୁକୁମାର ଜେନାଙ୍କ ସହ ଅଭୟମହଲ ଗ୍ରାମର ଗ୍ରାମବାସୀମାନେ ଉପସ୍ଥିତ ଥିଲେ । ଏହି ଆନ୍ଦୋଳନ ପ୍ରତ୍ୟାହୃତକୁ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଥିବା ବେଳେ କଂଗ୍ରେସ ଦଳରେ ମଧ୍ୟ ଗୁଞ୍ଜନ ସୃଷ୍ଟି ହୋଇଛି ।
