ଭୋଟର ତାଲିକା ସଂଶୋଧନ ସମ୍ପର୍କିତ ବୈଠକ
ବାରିପଦା : ଆଜି ମୟୁରଭଂଜ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ କକ୍ଷରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ସଭାପତିତ୍ୱରେ ଭୋଟର ତାଲିକା ସଂଶୋଧନ ସମ୍ପର୍କରେ ବିଭିନ୍ନ ରାଜନୈତିକ ଦଳ ଏବଂ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଗଣମାଧ୍ୟମ ଜରିଆରେ ଜନସାଧାରଣଙ୍କୁ ଉପଯୁକ୍ତ ଭାବେ ସଚେତନ କରାଇ ଆସନ୍ତା ୨୦୨୩ ମସିହା ଜାନୁଆରୀ ୫ ତାରିଖ ରେ ପ୍ରକାଶିତ ହେବାକୁ ଥିବା ନୂତନ ତ୍ରୁଟିଶୁନ୍ୟ ଭୋଟର ତାଲିକାରେ ଆଗାମୀ ବର୍ଷ ପାଇଁ ନୂତନ ଭାବେ ଯୋଗ୍ୟ ବିବେଚିତ ହେଉଥିବା ଜଣେ ମଧ୍ୟ ଭୋଟର ଯେମିତି ତାଲିକାରୁ ବାଦ ନପଡ଼ନ୍ତି ସେଥିପ୍ରତି ଯତ୍ନବାନ ହେବା ସହ ଜିଲ୍ଳାର ଖଡିଆ ମାଙ୍କଡ଼ିଆ ଓ ଲୋଧା ସମ୍ପ୍ରଦାୟ ର ଆଦିମ ଅଧିବାସୀ, ଦିବ୍ୟାଙ୍ଗ ଭୋଟର ଓ ମହିଳା ଭୋଟରଙ୍କୁ ଭୋଟର ତାଲିକାରେ ଶତ ପ୍ରତିଶତ ତାଲିକାଭୁକ୍ତ ପ୍ରତି ଧ୍ୟାନ ଦେବା ଏବଂ ତ୍ରୁଟି ଶୁନ୍ୟ ଭୋଟର ତାଲିକା ପ୍ରସ୍ତୁତି ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । କିଛିବି ତଥ୍ୟ ତ୍ରୁଟି ଥିବାର ନଜରକୁ ଆସିଲେ ସମ୍ପୃକ୍ତ ଭୋଟର ତାଙ୍କର ବୁଥ ଲେବେଲ ଅଧିକାରୀ କିମ୍ବା ଉପଜିଲ୍ଲାପାଳ(ଭୋଟର ପଞ୍ଜିକରଣ ଅଧିକାରୀ )ଙ୍କ କାର୍ଯ୍ୟାଳୟ ରେ ଆବଶ୍ୟକୀୟ ସଂଶୋଧନ ନିମନ୍ତେ ଆବେଦନ କରିପାରିବେ ଏବଂ ନିଜ ମୋବାଇଲ ଫୋନ ରେ ଭୋଟର ହେଲ୍ପ ଲାଇନ ଆପ ଜରିଆରେ କିମ୍ବା ୱେବ୍ସାଇଟରେ ମଧ୍ୟ ଅନଲାଇନ ରେ ଆବେଦନ କରିପାରିବେ ବୋଲି ଜଣାଯାଇଛି । ଏବର୍ଷ ନିର୍ବାଚନ ଆୟୋଗଙ୍କ ତରଫରୁ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ପ୍ରଥମ ଥର ପାଇଁ ପୋଷ୍ଟାଲ ବାଲେଟ ପେପରର ପ୍ରଚଳନ ଆରମ୍ଭ କରିଛନ୍ତି ଯଦ୍ୱାରା ଆଗାମୀ ସମୟ ରେ ହେବାକୁ ଥିବା ନିର୍ବାଚନ ରେ ଦିବ୍ୟାଙ୍ଗ ଭୋଟର ମାନେ ପୋଷ୍ଟାଲ ବାଲେଟ ଜରିଆରେ ସେମାନଙ୍କ ମତଦାନ କରିପାରିବେ ବୋଲି ଜଣାଯାଇଛି ।ବୈଠକରେ ଡେପୁଟି କଲେକଟର ସୁଶ୍ରୀତା ଟୁଡୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଂଜନ ମହାନ୍ତିଙ୍କ ସମେତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।
