ମୟୂରଭଞ୍ଜ: ଦେଓ ଜଳସେଚନ ପ୍ରକଳ୍ପର ଷଷ୍ଠ ଆରପିଡିଏସି ବୈଠକପ୍ରକଳ୍ପ କାର୍ଯ୍ୟର ପୁନର୍ବାସ ଓ ଥଇଥାନ ତଥା ପାରିପାର୍ଶିକ ବିକାଶ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କିତ ଆଲୋଚନା
ବାରିପଦା : ଦେଓ ଜଳସେଚନ ପ୍ରକଳ୍ପର ଷଷ୍ଠ ଆରପିଡିଏସି (ଥଇଥାନ ଓ ପାରିପାର୍ଶିକ ଉନ୍ନୟନ ପରାମର୍ଶ ଦାତା କମିଟି) ବାରିପଦା ପ୍ରୟାସ ସମ୍ମିଳନୀ କକ୍ଷରେ କେନ୍ଦ୍ରାଚଂଳ ରାଜସ୍ୱ କମିଶନର ଡ. ସୁରେଶ ଚନ୍ଦ୍ର ଦଳାଇ, ଭା.ପ୍ର.ସେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବତନ ମନ୍ତ୍ରୀ ତଥା ବାଙ୍ଗିରିପୋଷି ବିଧାୟକ ଶ୍ରୀ ସୁଦାମ ମାର୍ଣ୍ଡି, ମୋରଡା ବିଧାୟକ ଶ୍ରୀ ରାଜ କିଶୋର ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦାଃ, ମୟୂରଭଞ୍ଜ ଜିଲ୍ଲାପାଳ, ଶ୍ରୀ ବିନୀତ ଭରଦ୍ୱାଜ, ଭା.ପ୍ର.ସେ, ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକ, ଶ୍ରୀ ଋଷିକେଶ ଦ୍ୟାନଦେଓ ଖିଲାରୀ, ଭା.ପୁ.ସେ, ଜଳସମ୍ପଦ ବିଭାଗ (ଆରଏଣ୍ଡଆର)ନିର୍ଦ୍ଦେଶକ ଶ୍ରୀ ଆଲୋକ କର, ବାରିପଦା ଉପଜିଲ୍ଲାପାଳ ଅନ୍ୟା ଦାସ, ଭା.ପ୍ର.ସେ ପ୍ରମୁଖ ସମେତ ତିନ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ରୁଦ୍ର ନାରାୟଣ ମହାନ୍ତି, ଶ୍ରୀ ସୂଚାରୁ ବଳ (ରାଜସ୍ୱ) ଓ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ହେମନ୍ତ କୁମାର ସିଂ, ଉପଜିଲ୍ଲାପାଳ ରାଇରଙ୍ଗପୁର ଶ୍ରୀ ସରୋଜ କୁମାର ଦାଶ, କରଞ୍ଜିଆ ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ, ସମ୍ପୃକ୍ତ ବିଭାଗ ଅଧିକାରୀ ଏବଂ ବିସ୍ଥାପିତ ତଥା ବୁଡି ଅଂଚଳର ଜନ ପ୍ରତିନିଧିମାନେ ଯୋଗଦେଇ ଦେଓ ମଧ୍ୟମ ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ରମ ଅନ୍ତର୍ଗତ ବିସ୍ଥାପିତ ଅଂଚଳର ପୁନର୍ବାସ / ଥଇଥାନ ଓ ପାରିପାର୍ଶିକ ବିକାଶ ଆଦି ବିଭିନ୍ନ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ବୈଠକ ପ୍ରାରମ୍ଭରେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ. ବାଦଲ କୁମାର ସାହୁ ସମସ୍ତଙ୍କୁ ସ୍ୱାଗତ ଜଣାଇ ପ୍ରକଳ୍ପ କାର୍ଯ୍ୟସୂଚୀ ଉପସ୍ଥାପନ କରିଥିଲେ । ଆଲୋଚନାରେ ମୁଖ୍ୟତଃ ଦେଓ ଜଳସେଚନ ପ୍ରକଳ୍ପ ଅଂଚଳର ବିସ୍ଥାପିତ ଲୋକମାନଙ୍କର ଥଇଥାନ ସମ୍ପର୍କିତ ଥିବା ବିଭିନ୍ନ ସମସ୍ୟା ମଧ୍ୟରେ ରହିଯାଇଥିବା ବିସ୍ଥାପିତ ପରିବାରକୁ ନିୟମାନୁଯାୟୀ ଅନୁକମ୍ପା ସହାୟତା ପ୍ରଦାନ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏଥିରେ ବିଶେଷକରି ୫୯ଟି ବିସ୍ଥାପିତ ପରିବାରଙ୍କ ମଞ୍ଜୁରୀ ହେବା ସହ ୧୬ଟି ବିସ୍ଥାପିତ ପରିବାରଙ୍କ ଥଇଥାନ ରାଶି ଓ ୫୩ଟି ପ୍ରକଳ୍ପରେ ଜମି ହରାଇ ଥିବା ଆଂଶିକ ବୁଡି ଅଂଚଳ ଗ୍ରାମର ଲୋକଙ୍କୁ ପ୍ରକଳ୍ପ ପ୍ରଭାବିତ ବ୍ୟକ୍ତି ହିସାବରେ ମଞ୍ଜୁର ପାଇଁ ନିଷ୍ପତି ନିଆଯାଇଥିଲା । ଏଥିସହିତ ୨୬୨ ବିସ୍ଥାପିତ ଲୋକଙ୍କୁ ବକେୟା ଥଇଥାନ ରାଶି ଦେବାପାଇଁ ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ପୁନର୍ବାସ ଓ ଥଇଥାନ ବ୍ୟବସ୍ଥାରେ ବିଦ୍ୟାଳୟ, ରାସ୍ତାଘାଟ, ଅଙ୍ଗନୱାଡି କେନ୍ଦ୍ର, ଆଲୋକ ବ୍ୟବସ୍ଥା, ଜାହିରା ପୀଠସ୍ଥଳୀ ଆଦି ଆନୁସଙ୍ଗିକ ବିକାଶ କରିବା ପାଇଁ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ତତ୍ୱାବଧାନରେ ବିହିତ ପଦକ୍ଷେପ ଗ୍ରହଣ କରାଯିବା ଦିଗରେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପ୍ରଶାସନ, ସମ୍ପୃକ୍ତ ବିଭାଗ ଓ ଜନ ପ୍ରତିନିଧିଙ୍କ ସହଯୋଗରେ ବିହିତ ପଦକ୍ଷେପ ଗ୍ରହଣ ପୂର୍ବକ କାର୍ଯ୍ୟ ତ୍ୱରାନ୍ନିତ କରିବାକୁ ରାଜସ୍ୱ କମିଶନର ଡ. ଦଳାଇ ନିର୍ଦ୍ଦେଶ ଦେଇଥିଲେ । ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ ଶ୍ରୀ ନଗେନ୍ଦ୍ର ନାଥ ମାଝି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚାଇଥିଲେ । ଅଧିକ୍ଷଣ ଯନ୍ତ୍ରୀ ଇଂ. ସୂରଜ କୁମାର ପାତ୍ର ଓ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ. ବାଦଲ କୁମାର ସାହୁ ପାୱାର ପଏଣ୍ଟ ମାଧ୍ୟମରେ ଦେଓ ଜଳସେଚନ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ବିଶଦ ବିବରଣୀ ଉପସ୍ଥାପନ କରିଥିଲେ । ଶେଷରେ ଅଧିକ୍ଷଣ ଯନ୍ତ୍ରୀ ଇଂ. ବିକ୍ରମକେଶରୀ ମଲ୍ଲିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
