ଆଜିଠୁ ନୋଡାଲ ସେଣ୍ଟରକୁ ପଠାଯିବ ମାଟ୍ରିକ ପ୍ରଶ୍ନପତ୍ର, ବୁକଲେଟ ଓ ଓଏମଆର ସିଟ
କଟକ : ରାଜ୍ୟରେ ଆସନ୍ତା ଅପ୍ରେଲ ୨୯ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ଏଥିନିମନ୍ତେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଏହି ପରୀକ୍ଷା ଲାଗି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପ୍ରସ୍ତୁତ ହୋଇଥିବା ପ୍ରଶ୍ନପତ୍ର ଶୁକ୍ରବାର ଠାରୁ ବୋର୍ଡ କାର୍ଯ୍ୟାଳୟରୁ ବିଭିନ୍ନ ଜିଲ୍ଲାର ନୋଡାଲ୍ ସେଣ୍ଟରଗୁଡ଼ିକୁ ପଠାଯିବ ।
ରାଜ୍ୟରେ ୩୫୪୦ ଟି ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୭୧ ହଜାର ୯୦୯ ଜଣ ପରୀକ୍ଷାର୍ଥୀ ଏହି ମାଟ୍ରିକ ପରୀକ୍ଷା ଦେଉଛନ୍ତି। ୪୪୪୩ ଜଣ ମଧ୍ୟମା ଏବଂ ୯୩୭୮ ଜଣ ଓପନ ସ୍କୁଲ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଉଛନ୍ତି। ଏଥିପାଇଁ ରାଜ୍ୟରେ ୩୧୫ ଟି ନୋଡାଲ ସେଣ୍ଟର କରାଯାଇଛି। ଆସନ୍ତା ୨୨ରୁ ନୋଡାଲ ସେଣ୍ଟରକୁ ପ୍ରଶ୍ନପତ୍ର, ବୁକଲେଟ ଓ ଓଏମଆର ସିଟ ପଠାଯିବ ବୋଲି ବୋର୍ଡ ପକ୍ଷରୁ ଜଣାପଡିଛି। ନୋଡାଲ ସେଣ୍ଟର ଗୁଡ଼ିକରେ ୨୪ ଘଣ୍ଟିଆ କଡା ପ୍ରହରା ବ୍ୟବସ୍ଥା ସହ ପରୀକ୍ଷା ସମୟରେ ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବାକୁ ଜିଲା ଏସପିମାନଙ୍କୁ ନିବେଦନ କରିଛନ୍ତି ବୋର୍ଡ ସଭାପତି। ଦୁଇଟି ସିଟିଂରେ ବୋର୍ଡ ପରୀକ୍ଷା କରାଯିବାକୁ ଥିବା ବେଳେ ସକାଳ ୮ ଟାରୁ ୧୦ ଟା ପର୍ୟ୍ୟନ୍ତ ପ୍ରଥମ ସିଟିଂ ଏବଂ ସାଢ଼େ ୧୧ ଟାରୁ ସାଢ଼େ ୧ ଟା ପର୍ୟ୍ୟନ୍ତ ଦ୍ୱିତୀୟ ସିଟିଂ ପରୀକ୍ଷା ହେବ ବୋଲି ନିଷ୍ପତ୍ତି ନିଆଯାଇଛି।
