ପୁଣି ମାତିଲେ ମାଓବାଦୀ : ବିସ୍ଫୋରଣ କରି ଉଡାଇଦେଲେ ରେଳ ଟ୍ରାକ
ରାଉରକେଲା : ପୁଣି ମାତିଲେ ମାଓବାଦୀ । ବିସ୍ଫୋରଣ କରି ଉଡାଇଦେଲେ ରେଳ ଟ୍ରାକ । ଝାଡ଼ଖଣ୍ଡ ଚକ୍ରଧରପୁର ସୋନୁଆଁରେ ରେଳାଧାରଣା ଉଡାଇଦେଲେ ମାଓବାଦୀ । ଯାହାଫଳରେ ସେହି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ବିସ୍ଫୋରଣର ଖବର ପାଇ ରେଳବାଇର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏପିରିକି କ୍ଷତିଗ୍ରସ୍ତ ଟ୍ରେନ୍ ଲାଇନ୍କୁ ମରାମତି କାର୍ଯ୍ୟ ଜୋରାସୋରରେ ଚାଲୁଅଛି । ଟପ ମାଓବାଦୀ ନେତା କିଶନ ଦା ଏବଂ ତାଙ୍କ ପତ୍ନୀ ଶିଲା ମାରାଣ୍ଡିଙ୍କ ଗିରଫ ପ୍ରତିବାଦରେ ଏହି ବିସ୍ପୋରଣ କରାଯାଇଥିବା ସୂଚନା ମିଳିଛି ।
ସୂଚନା ଯେ, ଗତକାଲି ବିଳମ୍ବିତ ରାତିରେ ଝାଡ଼ଖଣ୍ଡ ଚକ୍ରଧରପୁର ସୋନୁଆଁରେ ରେଳଧାରଣାକୁ ଉଡାଇ ଦେଇଛନ୍ତି ମାଓବାଦୀ । ଦକ୍ଷିଣପୂର୍ବ ରେଳପଥର ଚକ୍ରଧରପୁର ନିକଟ ଲୋଟା ପାହାଡ଼ ଏବଂ ସୋନୁଆ ମଧ୍ୟରେ ନକ୍ସଲମାନେ ରେଳଧାରଣାରେ ମାଇନ୍ସ ଲଗାଇ ଉଡ଼ାଇ ଦେଇଛନ୍ତି । ଫଳରେ ହାୱଡା – ମୁମ୍ବାଇ ମାର୍ଗରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ରେଳବାଇ ପକ୍ଷରୁ ଟ୍ରାକ୍ ମରାମତି କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ମାଓବାଦୀ ମାନେ ସିଙ୍ଗଲ ଲାଇନ୍କୁ ବିସ୍ପୋରଣରେ ଉଡାଇଥିବାରୁ ଅନ୍ୟ ଏକ ଲାଇନ୍ରେ ଟ୍ରେନ୍ ଚଳାଚଳ ହେଉଛି । ଯେଉଁଥିଲାଗି ଟ୍ରେନ୍ ଚଳାଚଳରେ ବିଳମ୍ବ ହେଉଛି । ରାଉରକେଲା ଷ୍ଟେସନରେ ମଧ୍ୟ କିଛି ଟ୍ରେନ ଅଟକି ରହିଛି। ଟ୍ରେନ ଚଳାଚଳ ସ୍ବାଭାବିକ କରିବାକୁ ରେଳ ବିଭାଗ ପକ୍ଷରୁ ଉଦ୍ୟମ କରାଯାଉଛି। ଘଟଣାସ୍ଥଳରେ ଏକ ମାଓ ପୋଷ୍ଟର ମରାଯାଇଥିବାର ସୂଚନା ମିଳିଛି ।

