ପ୍ରସୂତି ହଟହଟା : ଆସିଲେନି ଡାକ୍ତର, ଶେଷରେ ଅଟୋରେ ହେଲା ପ୍ରସବ
କନ୍ଧମାଳ : ଯନ୍ତ୍ରଣାରେ ଛଟପଟ ହୋଇ ପ୍ରସୂତି ଜଣକ ଶେଷରେ ଅଟୋରେ ପ୍ରସବ କରିଲେ। ଏଭଳି ଏକ ହୃଦୟବିଦାରକ ଘଟଣା କନ୍ଧମାଳ ଜିଲା ଜି ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି । ଜି ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଅଟୋରେ ହିଁ ଜଣେ ପ୍ରସୂତି ସନ୍ତାନ ପ୍ରସବ କରିଛନ୍ତି। ପ୍ରସୂତି ଜଣକ ଅଟୋରେ ବସି ଯନ୍ତ୍ରଣାରେ ଛଟପଟ ହେଉଥିଲେ। ଡାକ୍ତର ଓ ନର୍ସଙ୍କୁ ଡ଼ାକିବାରୁ ଏହି ସମୟରେ କେହି ବି ଆସିଲେ ନାହିଁ। ଡାକ୍ତର ଓ ନର୍ସ ସମସ୍ତେ ନିଜର ଦାୟିତ୍ୱ, କର୍ତ୍ତବ୍ୟ ଓ ମାନବିକତା ସବୁ ଭୁଲିଗଲେ। ଏପରି କି ରୋଗୀଙ୍କୁ ମୂଳରୁ ନଦେଖି ଡାକ୍ତର ତାଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଦେଲେ ବୋଲି ଅଭିଯୋଗ ହୋଇଛି।
ସୂଚନା ଯେ, ଗରୁବାର ସନ୍ଧ୍ୟା ୭ଟାରେ ଜି ଉଦୟଗିରିସ୍ଥିତ ନିଲୁଙ୍ଗିଆ ଗ୍ରାମର ନଙ୍ଗା ପ୍ରଧାନଙ୍କ ଝିଅ ମଇନା ପ୍ରଧାନ ପ୍ରସବ ନିମନ୍ତେ ଆଶା ଦିଦିଙ୍କ ସହାୟତାରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ। ତେବେ କାର୍ଯ୍ୟରତ ଡାକ୍ତର ବାହାରୁ ହିଁ ତାଙ୍କୁ ନ ଦେଖି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ରେଫର୍ କରିଦେଇଥିଲେ ଏବଂ ରାଇକିଆରୁ ଆମ୍ବୁଲାନ୍ସ ଡାକୁଛି ବୋଲି କହିଥିଲେ। ହେଲେ ଦୀର୍ଘ ଏକ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ବାହାରେ ଅଟୋରେ ବସି ଛଟପଟ ହେଉଥିବା ବେଳେ ରାଇକିଆରୁ ଆମ୍ବୁଲାନ୍ସ ଆସିବା ବେଳକୁ ମହିଳାଙ୍କ ପ୍ରସବ ହୋଇ ସାରିଥିଲା। ଏ ନେଇ ଦାୟିତ୍ୱରେ ଥିବା ଡାକ୍ତରଙ୍କୁ ପଚାରିବାରୁ ଏମିତି କ’ଣ ପ୍ରସବ ହେଉନାହିଁ କି ବୋଲି ଓଲଟା ଯୁକ୍ତି ବାଢ଼ିଥିଲେ। ଏହା ସହ ପ୍ରସୂତି ମହିଳାଙ୍କର କାଗଜପତ୍ର ଠିକ୍ ନ ଥିବା ଯୋଗୁଁ ପ୍ରସୂତିଙ୍କୁ ସ୍ଥାନାନ୍ତର କରାଯାଇଥିଲା ବୋଲି ସେ ପ୍ରକାଶ କରିଛନ୍ତି। ଆଉ ପରବର୍ତ୍ତୀ ସମୟରେ ଅଟୋରୁ ଉଭୟ ପ୍ରସୂତି ମହିଳା ଓ ନବଜାତ ଶିଶୁ କନ୍ୟାଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ତ୍ତୃପକ୍ଷ ପ୍ରସୂତି ବେଡ଼ କୁ ନେଇଥିବା ବେଳେ ଏବେ ଉଭୟ ମା ଝିଅଙ୍କ ସ୍ୱାସ୍ଥ୍ୟ ଠିକ ଥିବା ଜଣାପଡ଼ିଛି।
