ଦେବ୍ରିଗଡ଼ ଅଭୟାରଣ୍ୟରେ ମହାବଳ ବାଘ ଆତଙ୍କ, ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା
ମହାବଳର ଗତିବିଧିକୁ ଟ୍ରାକ୍ କରିବା ପାଇଁ ଲାଗିଛି ୧୦୦ରୁ ଅଧିକ କ୍ୟାମେରା
୧୨ ଜଣିଆ ପାଟ୍ରୋଲିଂ ଟିମ୍ ଗଠନ
ସମ୍ବଲପୁର : ସମ୍ବଲପୁର ଦେବ୍ରିଗଡ଼ ଅଭୟାରଣ୍ୟରେ ଦେଖାଦେଇଛି ମହାବଳ ବାଘ ଆତଙ୍କ । ଏହାପରେ ଅଭୟାରଣ୍ୟ ମଧ୍ୟକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରୀ କରିଛି ବନ ବିଭାଗ । ମହାବଳର ଗତିବିଧିକୁ ଟ୍ରାକ୍ କରିବା ପାଇଁ ଲାଗିଛି ୧୦୦ରୁ ଅଧିକ କ୍ୟାମେରା । ବାଘର ଗତିବିଧି ଉପରେ ନଜର ରଖିବା ପାଇଁ ୧୨ ଜଣିଆ ପାଟ୍ରୋଲିଂ ଟିମ୍ ଗଠନ ହୋଇଛି । ତେବେ ବାଘଟି ପୂର୍ବରୁ ଅଭୟାରଣ୍ୟ ମଧ୍ୟରେ ଥିଲା ନା ଆଉ କେଉଁଠୁ ଏଠାକୁ ଆସିଛି ତାହା ଜଣାପଡିନାହିଁ । ହୀରାକୁଦ ବନଖଣ୍ଡ ଡିଏଫଓ ଅଂଶୁପ୍ରଜ୍ଞା ଦାସ ଏନେଇ ସୂଚନା ଦେଇ କହିଛନ୍ତି ଯେ, ଡିସେମ୍ବର ୧ ତାରିଖ ଦିନ ଏହି ମହାବଳ ବାଘଟି ଫରେଷ୍ଟ ରୋଡ ଉପରେ ପ୍ରାୟ ୧୫ ରୁ ୨୦ ମିନିଟ୍ ଧରି ଚାଲି ଚାଲି ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରୁଥିବାର ଦେଖିବାକୁ ମିଳିଥିଲା । କିଛି ଲୋକ ସେ ସମୟର ଫଟୋ ଓ ଭିଡ଼ିଓ ମୋବାଇଲରେ ଉତୋଳନ କରିଥିଲେ । ଘଟଣା ପରେ ବନ ବିଭାଗ ପକ୍ଷରୁ ବାଘର ଗତିବିଧି ଉପରେ ନଜର ରଖିବା ପାଇଁ ୧୨ ଜଣିଆ ପାଟ୍ରୋଲିଂ ଟିମ୍ ଗଠନ ହୋଇଛି । ମହାବଳର ଗତିବିଧିକୁ ଟ୍ରାକ୍ କରିବା ପାଇଁ ବିଭିନ୍ନ ସ୍ଥାନରେ ୧୦୦ରୁ ଅଧିକ କ୍ୟାମେରା ଲଗାଯାଇଛି । ଦୁଇଟି ସ୍ଥାନରେ ଟାଇଗର ମନିଟରିଂ ସେଲ୍ ତିଆରି ହୋଇଛି । ଆଖପାଖ ଗ୍ରାମର ଲୋକଙ୍କୁ ଏନେଇ ସତର୍କ କରାଯାଇଛି । ଏ ସମ୍ପର୍କରେ କୌଣସି ପ୍ରକାର ସୂଚନା ପାଇଲେ ତୁରନ୍ତ ପଦକ୍ଷେପ ନିଆଯିବ ।
