ମଣିପୁର ବିଧାନସଭା ନିର୍ବାଚନ! ୧୨ କେନ୍ଦ୍ରରେ ହେବ ପୁନର୍ବାର ମତଦାନ
ନୂଆଦିଲ୍ଲୀ: ପୂର୍ବୋତ୍ତର ରାଜ୍ୟ ମଣିପୁର ବିଧାନସଭା ନିର୍ବାଚନ ୨୦୨୨ ଲାଗି ଫେବୃଆରୀ ୨୮ ସୋମବାର ଅନୁଷ୍ଠିତ ହୋଇଥିଲା ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ। ଆସନ୍ତା ୫ ମାର୍ଚ୍ଚରେ ହେବାକୁ ଯାଉଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବା ପୂର୍ବରୁ ରାଜ୍ୟର ୧୨ ମତଦାନ କେନ୍ଦ୍ରରେ ପୁନର୍ବାର ମତଦାନ କରାଇବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ।
ଏନେଇ ମଣିପୁର ରାଜ୍ୟ ନିର୍ବାଚନ ଅଧିକାରୀ ରାଜେଶ ଅଗ୍ରୱାଲଙ୍କ ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଏହି ୧୨ ଆସନରେ ୫ ମାର୍ଚ୍ଚରେ ହେବ ମତଦାନ। ଯେଉଁଠାରେ ପୁନର୍ବାର ଭୋଟ ଗ୍ରହଣ ହେବାକୁ ଯାଉଛି ସେହି ମତଦାନ କେନ୍ଦ୍ର ଖୁନ୍ଦ୍ରାକପମ୍, ସୈତୁ, ଥାନଲନ୍, ହେଙ୍ଗଲାପ୍, ଚୁରାଚାନ୍ଦପୁର ବିଧାନସଭା ଆସନରେ ଅବସ୍ଥିତ। ଏହି ବୟାନରେ କୁହାଯାଇଛି ଯେ ଏହି ମତଦାନ କେନ୍ଦ୍ରର ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀଙ୍କ ତଥ୍ୟ ଆଧାରରେ ପୁନର୍ବାର ମତଦାନ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ମତଦାନ ସମୟରେ ଏବଂ ପରେ ଉପଦ୍ରବୀଙ୍କ ଦ୍ୱାରା ଇଭିଏମକୁ କ୍ଷତି ପହଞ୍ଚା ଯିବା ପରେ ପୁଣି ଥରେ ଭୋଟ ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।
ଯେଉଁ ମତଦାନ କେନ୍ଦ୍ରରେ ପୁନର୍ବାର ମତଦାନ ହେବାକୁ ଯାଉଛି ତାହା ମଧ୍ୟରେ ରହିଛି ସରୌଥେଲ, ନ୍ୟୁ କୀଥେଲମାନବୀ, ସୋଙ୍ଗସାଙ୍ଗ୍, ମାଇଟ୍, ତିନସୁଆଙ୍ଗ, ମାଜୁରୋନ୍ କୁକି, ଏନ.ଚିଙ୍ଗଫେଇ, ଖୋଇରେଣ୍ଟେକ୍, ମୋଲସାଙ୍ଗ, ଲେଇନୋମ୍, ଟିକୋଟ ଏବଂ ମୌକୋଟ। ମଣିପୁର ବିଧାନସଭା ନିର୍ବାଚନ ୨୦୨୨ ଲାଗି ଫେବୃଆରୀ ୨୮ ତାରିଖରେ ଅନୁଷ୍ଠିତ ହୋଇଥିବା ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୮ ଆସନ ଲାଗି ଭୋଟଗ୍ରହଣ ହୋଇଥିବା ବେଳେ ୫ ମାର୍ଚ୍ଚରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟରେ ୨୨ ଆସନରେ ହେବ ମତଦାନ।
