ମମିତା ମେହେର ହତ୍ୟାକାଣ୍ଡ ମାମଲା : ଆଜି ୧୨ ଘଣ୍ଟିଆ ବୌଦ୍ଧ ବନ୍ଦ ଡାକରା
ବୌଦ୍ଧ : ମମିତା ମେହେର ହତ୍ୟାକାଣ୍ଡ ମାମଲା ତାତି ଏବେ ରାଜ୍ୟରେ ଥମିବାର ନା ଧରୁନି । ଏହି ପରିପ୍ରେକ୍ଷୀରେ ଆଜି ୧୨ ଘଣ୍ଟିଆ ବୌଦ୍ଧ ବନ୍ଦ ଡାକରା ଦେଇଥିଲା ଭାରତୀୟ ଜନତା ପାର୍ଟି । ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବ । ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଫାଶୀଦଣ୍ଡରେ ଦଣ୍ଡିତ କରିବାକୁ ଦାବି କରିଛି ବିଜେପି । ଏହାସହ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ସିବିଆଇକୁ ତଦନ୍ତ ଦାୟିତ୍ୱ୍ୟ ଦେବାକୁ ଦଳ ପକ୍ଷରୁ ଦାବି କରାଯାଇଛି ।
ଜିଲାର ସମସ୍ତ ୩ଟି ବ୍ଲକ ଏବଂ ବୌଦ୍ଧ ଏନଏସିରେ ବନ୍ଦ କରିବାକୁ ବିଜେପି ଡାକରା ଦେଇଛି । ବନ୍ଦର ପ୍ରଭାବରେ ଶନିବାର ଜିଲ୍ଲାରେ ଦୋକାନ ବଜାର,ଗାଡି ମୋଟର ଚଳାଚଳ ସହ ସରକାରୀ ବେସରକାରୀ ପ୍ରତିଷ୍ଠାନ ସମ୍ପୁର୍ଣ୍ଣ ବନ୍ଦ ରହିଛି । ସକାଳୁ ସକାଳୁ ବିଜେପିର କର୍ମକର୍ତାମାନେ ବିଭିନ୍ନ ଛକରେ ପିକେଟିଂ କରୁଥିବା ଦେଖିବାକୁ ମିଳିଛି । ସହରର ବ୍ରିଜଛକ, ଏନ ଏସି ଛକ, ବୁଟୁପଳି ଛକ ଠାରେ ବହୁ ଯାନବାହାନ ଅଟକି ରହିଛି । ସେହିପରି ସୁରକ୍ଷା ଦୃଷ୍ଟିରୁ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବିଭିନ୍ନ ଛକରେ ପେଟ୍ରୋଲିଂ କରାଯାଉଛି ।
