ଛାଡଖାଇରେ ଅଘଟଣ : ଶିକାର ପାଇଁ ଯାଇ ବିଦ୍ୟୁତ ସଂସ୍ପର୍ଶରେ ଆସି ୨ ଶିକାରୀ ମୃତ
ବୌଦ୍ଧ: ବୌଦ୍ଧ ଜିଲାର ବିଭିନ୍ନ ଜଙ୍ଗଲରେ ଅସୁରକ୍ଷିତ ବନ୍ୟଜନ୍ତୁ । କେତେବେଳେ ବାଘଛାଲ ପାଇଁ ତ ପୁଣି କେତେବେଳେ ମାଂସ ପାଇଁ ବନ୍ୟଜନ୍ତୁଙ୍କ ଅବାଧ ଶିକାର ଚାଲିଛି । ଏହି ପରିପ୍ରେକ୍ଷୀରେ ବନ୍ୟଜନ୍ତୁଙ୍କ ଶିକାର ପାଇଁ ବିଦ୍ୟୁତ ତାର ବିଛାଉଥିବା ତାର ସଂସ୍ପର୍ଶରେ ଆସି ଦୁଇ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଏପରି ଚାଞ୍ଚଲ୍ୟକର ଘଟଣା ଘଟିଛି ବୌଦ୍ଧ ବନାଞ୍ଚଳରେ ।
ବଘିଆପଡା ସେକ୍ସନ ଅନ୍ତର୍ଗତ କୁରୁକୁଚ ଗ୍ରାମ ନିକଟରେ ଦୁଇ ଜଣ ଶିକାରୀ ବନ୍ୟଜନ୍ତୁଙ୍କ ଶିକାର ପାଇଁ ବିଦ୍ୟୁତ ତାର ସଂଯୋଗ କରୁ ଥିବାବେଳେ ସେହି ତାରରେ ଲାଗି ଦୁଇ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଏଭଳି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇ ଥିବାବେଳେ ଜିଲ୍ଲାରେ ବାରମ୍ବାର ବନ୍ୟଜନ୍ତୁଙ୍କ ଶିକାରକୁ ନେଇ ବୁଦ୍ଧିଜୀବୀ ଚିନ୍ତା ପ୍ରକାଶ କରିଛନ୍ତି । ସେପଟେ କୁରୁକୁଚ ଘଟଣାରେ ବଘିଆପଡା ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଜଙ୍ଗଲ ବିଭାଗର କୌଣସି କର୍ମଚାରୀ ସେଠାରେ ନପହଞ୍ଚିବା ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
