ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ, ୮ ଗୁରୁତର
ବୌଦ୍ଧ : ବୌଦ୍ଧ ଜିଲା ବଢିଗାଁ ଗ୍ରାମ ପଞ୍ଚାୟତର ଯୋଗୀ ଭୋଗରା ଗାଁରେ ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ ଘଟିଛି। ଟାଙ୍ଗିଆ ଓ କଟୁରୀ ବୁଲିବା ସହ ରଣକ୍ଷେତ୍ର ପାଲଟିଲା ଗାଁ। ଏଥିରେ ୮ ଜଣ ଗୁରୁତର ହୋଇଛନ୍ତି ।
ସୂଚନା ଯେ, ଗତ ରବିବାର ରାତିରେ ଯୋଗୀ ଭୋଗରା ଗ୍ରାମରେ ସରପଞ୍ଚଙ୍କ ପରିବାର ଓ ଗ୍ରାମର ବେହେରା ପରିବାର ମଧ୍ୟରେ ଗଣ୍ଡଗୋଳ ଘଟିଥିଲା । ଏପରିକି ଟାଙ୍ଗିଆ ଓ କଟୁରିରେ ପରସ୍ପରକୁ ଆକ୍ରମଣ ଓ ପ୍ରତି ଆକ୍ରମଣ କରିଥିଲେ । ଏଥିରେ ଉଭୟ ପରିବାରର ୮ ଜଣ ସଦସ୍ୟ ଗୁରୁତର ହୋଇଥିବା ଜଣା ପଡିଛି । ଗୁରୁତରଙ୍କ ମଧ୍ୟରେ ସରପଞ୍ଚଙ୍କ ସ୍ୱାମୀ ଅଜିତ ସେଠୀ, ଦେଢସୁର ପ୍ରଦୀପ ସେଠୀ, ଶ୍ୱଶୁର ଚହଟୀ ସେଠୀ ରହିଛନ୍ତି । ସେହିପରି ବେହେରା ପରିବାରର ବାବୁଲା ବେହେରା, ଅନନ୍ତ ବେହେରା, ବୈକୁଣ୍ଠ ବେହେରା, ସ୍ବାଧୀନ ବେହେରା ଓ ଦିବସ ବେହେରା ମଧ୍ୟ ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ୧୦୮ ଆମ୍ବୁଲାନସ୍ ଯୋଗେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି l ଗଣ୍ଡଗୋଳ ରାଜନୈତିକ କାରଣରୁ ନା ଅନ୍ୟ କୌଣସି କାରଣରୁ ସଂଗଠିତ ହୋଇଛି ଜଣା ପଡି ନାହିଁ । ଅନ୍ୟପଟେ ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି ।
