ରାଜସ୍ଥାନ ରୟାଲ୍ସର ବୋଲିଂ କୋଚ୍ ହେଲେ ମାଲିଙ୍ଗା
ନୂଆଦିଲ୍ଲୀ : ଆଇପିଏଲକୁ ଫେରିଲେ ମାଲିଙ୍ଗା ଶ୍ରୀଲଙ୍କାର ପୂର୍ବତନ ଦ୍ରୁତ ବୋଲର ଲସିଥ ମାଲିଙ୍ଗା । ତାଙ୍କୁ ଦ୍ରୁତ ବୋଲିଂ କୋଚ୍ ଭାବେ ନିଯୁକ୍ତ କଲା ରାଜସ୍ଥାନ ରୟାଲ୍ସ । ଆଇପିଏଲର ୧୫ତମ ସିଜିନରେ ସେ ରାଜସ୍ଥାନ ଦଳରେ ସାମିଲ ହୋଇଛନ୍ତି । ଏହି ପ୍ରଥମ ଥର ଏହି ଲିଗରେ କୋଚ୍ ଭାବେ ନଜର ଆସିବେ । ଏହାପୂର୍ବରୁ ସେ ମୁମ୍ବାଇ ଇଣ୍ଡିଆନ୍ସ ସହ ରହିଥିଲେ ।
୩୮ ବର୍ଷୀୟ ମାଲିଙ୍ଗା ନିକଟରେ ଦଳର ଅଷ୍ଟ୍ରେଲିଆ ଗସ୍ତରେ ଶ୍ରୀଲଙ୍କା ଟିମ୍ର ବୋଲିଂ କୋଚ୍ ସମ୍ଭାଳିଥିଲେ । ଏନେଇ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଟ୍ୱିଟର ଆକାଉଣ୍ଟରେ ସୂଚନା ଦିଆଯାଇଛି । ଏଥିରେ ମାଲିଙ୍ଗାଙ୍କୁ ଦଳ ସ୍ୱାଗତ ମଧ୍ୟ କରିଛି । ସୂଚନା ଯେ, ୨୦୦୮ ସିଜିନର ବିଜେତା ରାଜସ୍ଥାନ ରୟାଲ୍ସ ପ୍ରଥମ ସିଜିନ୍ ପରେ ଆଉ ଚାମ୍ପିଅନ ହେବାରେ ସଫଳ ହୋଇପାରି ନାହିଁ । ଦଳକୁ ପ୍ଲେ-ଅଫ୍ ମୁକାବିଲା ଯାଏଁ ସନ୍ତୁଷ୍ଟ ରହିବାକୁ ପଡିଛି । ଆଉ କିଛି ସିଜିନରେ ଦଳକୁ ସପ୍ତମ ସ୍ଥାନରେ ଖୁସି ରହିବାକୁ ପଡିଛି । ଶେଷଥର ଦଳ ୨୦୨୧ ସିଜିନରେ ୫ଟି ମ୍ୟାଚ୍ ଜିତିଥିବା ବେଳେ ୯ଟି ମୁକାବିଲାରେ ପରାସ୍ତ ହୋଇଥିଲା ।
