ଆଜିଠୁ ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟେଷ୍ଟ, ପିଙ୍କ ବଲ୍ରେ ହେବେ ସାମ୍ନାସାମ୍ନି
ବେଙ୍ଗାଲୁରୁ : ଶନିବାରଠୁ ଆରମ୍ଭ ହେବାକୁ ଯାଉଛି ଭାରତ-ଶ୍ରୀଲଙ୍କା ଦିବା ରାତ୍ର ଟେଷ୍ଟ । ଫ୍ଲଡ୍ ଲାଇଟ୍ ତଳେ ଗୋଲାପି ବଲ୍ରେ ଉଭୟ ପ୍ରଥମ କରି ପରସ୍ପରକୁ ସାମ୍ନା କରିବାକୁ ଯାଉଛନ୍ତି । ସବୁ ଉତ୍ସାହ ଉଦ୍ଦୀପନାକୁ ନିୟନ୍ତ୍ରଣରେ ରଖି ଭାରତୀୟ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛି । ପ୍ରଥମ ଟେଷ୍ଟରେ ଇନିଂସ ବିଜୟ ପରେ ଘରୋଇ ଦଳର ମନୋବଳ ଶିଖର ଛୁଇଁ ସାରିଛି । କେବଳ ତ୍ରୁଟି ହୀନ ପ୍ରଦର୍ଶନକୁ ପ୍ରାଥମିକତା ଦେଇ ଶ୍ରୀଲଙ୍କା ବିପକ୍ଷରେ ଆଧିପତ୍ୟ ଜାରି ରଖିବାକୁ ଭାରତ ଲକ୍ଷ୍ୟ ରଖିଛି । ପିଙ୍କ ବଲ୍ରେ ଶ୍ରୀଲଙ୍କାର ପ୍ରଦର୍ଶନ ମଧ୍ୟ ବେଶ୍ ଉନ୍ନତ ରହିଛି । ୩ଟି ପିଙ୍କ ବଲ୍ ଟେଷ୍ଟ ଖେଳି ଶ୍ରୀଲଙ୍କା ୨ଟିରେ ବିଜୟୀ ହୋଇଛି । ଏପଟେ ଭାରତୀୟ ଦଳ ଘରୋଇ ଗ୍ରାଉଣ୍ଡରେ ୨ଟି ପିଙ୍କ ବଲ୍ ଟେଷ୍ଟ ଆୟୋଜନ କରି ଅପରାଜେୟ ରହିଛି ।
ଚିନ୍ନାସ୍ୱାମୀ ଷ୍ଟାଡିୟମ୍ ପ୍ରଥମ କରି ଦିବା ରାତ୍ର ଟେଷ୍ଟ ଆୟୋଜନ କରିବାକୁ ଯାଉଛି । ଐତିହାସିକ ଟେଷ୍ଟ ପାଇଁ ଷ୍ଟାଡିୟମ୍ ପୂର୍ଣ୍ଣ ପ୍ରସ୍ତୁତ । ପିଚ୍ ପ୍ରସ୍ତୁତି ସରିଛି । ବୁଧବାର ଅପରାହ୍ଣରେ ବେଙ୍ଗାଲୁରୁରେ ପହଂଚିବା ପରେ ଭାରତୀୟ ଦଳ ବିଶ୍ରାମ ନେଇଥିଲା । ଗୁରୁବାର ଦଳର ଅଭ୍ୟାସ ଶିବିର ଆରମ୍ଭ ହୋଇଥିଲା । ପ୍ରତ୍ୟେକ ଖେଳାଳି ଓ କୋଚିଂ ସଦସ୍ୟ ଅଭ୍ୟାସ ଶିବିରରେ ଯୋଗ ଦେଇଥିଲେ । ଦଳର ଯୁବ ଖେଳାଳିଙ୍କ ଉପରେ କୋଚ୍ମାନେ ଗୁରୁତ୍ୱ ଦେଇଥିଲେ । ମୟଙ୍କ ଅଗ୍ରୱାଲ୍ଙ୍କ ସମେତ ଶୁଭମନ ଗିଲ, ଶ୍ରେୟାସ ଆୟର ପ୍ରମୁଖ ଦୀର୍ଘ ସମୟ ଧରି ବ୍ୟାଟିଂ ଅଭ୍ୟାସ କରିଥିଲେ । ଫିଟ୍ ହୋଇ ଫେରିଥିବା ସ୍ପିନର ଅକ୍ଷର ପଟେଲଙ୍କ ଉପରେ କୋଚ୍ଙ୍କ ତୀକ୍ଷ୍ଣ ନଜର ରହିଥିଲା । ଗତ ବର୍ଷ ଅହମ୍ମଦାବାଦରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଏକ ଦିବା ରାତ୍ର ଟେଷ୍ଟ ଖେଳାଯାଇଥିଲା । ମାତ୍ର ୨ ଦିନ ମଧ୍ୟରେ ଭାରତ ଏହି ଟେଷ୍ଟ ଜିତିଥିଲା । ଅକ୍ଷର ପଟେଲ ଏହି ମ୍ୟାଚ୍ରେ ୧୧ଟି ୱିକେଟ୍ ନେଇଥିଲେ । ବେଙ୍ଗାଲୁରୁ ପିଚ୍ ମଧ୍ୟ ସ୍ପିନରଙ୍କୁ ସହାୟତା କରିବ । ତେଣୁ ଭାରତ ପ୍ରଥମ ଟେଷ୍ଟ ଭଳି ଏଠାରେ ମଧ୍ୟ ୩ଜଣ ସ୍ପିନର ନେଇ ଖେଳିବ । ଅକ୍ଷର ଫେରିବା ପରେ ଜୟନ୍ତ ଯାଦବଙ୍କୁ ଏକାଦଶରୁ ବାଦ ଦିଆଯିବା ନିଶ୍ଚିତ । ଚିନ୍ନାସ୍ୱାମୀ ଷ୍ଟାଡିୟମ୍ ସମୁଦ୍ର ପତନ ଠାରୁ ୩୦୦୦ ଫୁଟ୍ ଉଚ୍ଚରେ ରହିଛି । ତେଣୁ ସ୍ଥାନୀୟ ଅଂଚଳର ଜଳବାୟୁରେ ଆଦ୍ରତା ପରିମାଣ କମ୍ ରହିବ । ଦିନରେ ଉତାପ ଅଧି ରହୁଥିବାରୁ ରାତ୍ରିରେ କାକର ବହୁ ବିଳମ୍ବରେ ଆସିବ । ଫଳରେ ଖେଳ ସମୟରେ କାକର ପ୍ରଭାବ ପଡ଼ିବନାହିଁ ।
ଭାରତ ମାତ୍ର ତିନି ବର୍ଷ ତଳେ ଅର୍ଥାତ୍ ୨୦୧୯ରେ ଐତିହାସିକ ଇଡେନ୍ ଗାର୍ଡେନ୍ସ ଷ୍ଟାଡିୟମ୍ରେ ବାଂଲାଦେଶ ବିପକ୍ଷରେ ପ୍ରଥମ ଦିବାରାତ୍ର ଟେଷ୍ଟ୍ ଖେଳିଥିଲା । ଯାହାକୁ ଭାରତ ଅତି ସହଜରେ ଜିତି ନେଇଥିଲା । ୨୦୨୦ରେ ଆଡିଲେଡ୍ ଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିବା ଦିବାରାତ୍ର ଟେଷ୍ଟ୍ରେ କିନ୍ତୁ ଭାରତ ଲଜ୍ଜାଜନକ ପରାଜୟ ବରଣ କରିଥିଲା । ସେହି ମ୍ୟାଚ୍ର ପ୍ରଥମ ପାଳିରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳ ମାତ୍ର ୩୬ ରନ୍ରେ ଅଲଆଉଟ୍ ହୋଇଥିଲା । ଯାହା ଟେଷ୍ଟ୍ କ୍ରିକେଟ୍ରେ ତା’ର ସର୍ବନିମ୍ନ ଦଳଗତ ସ୍କୋର ଥିଲା । ଶ୍ରୀଲଙ୍କା ବିପକ୍ଷ ଦିବାରାତ୍ର ଟେଷ୍ଟ୍ ପୂର୍ବରୁ ଅଭିଜ୍ଞ ସ୍ପିନର ଆର୍ ଅଶ୍ୱିନ କିନ୍ତୁ ସାଥୀ ଖେଳାଳିଙ୍କୁ ସଜାଗ ରହିବାକୁ ଚେତାଇ ଦେଇଛନ୍ତି । ‘ଗୋଲାପି ବଲ୍ ଟେଷ୍ଟ୍ ଲାଗି ପ୍ରସ୍ତୁତି କରିବା ଅତ୍ୟନ୍ତ କଷ୍ଟକର । କେବେ କେବେ ଏହାକୁ ନେଇ ପୂର୍ବାନୁମାନ ଲଗାଇବା କଷ୍ଟକର ହୋଇଯାଇଥାଏ । ଆମେ ଏ ପର୍ଯ୍ୟନ୍ତ ତିନିଟି ଗୋଲାପି ବଲ୍ ଟେଷ୍ଟ୍ ଖେଳିଛୁ । ଆଉ ପ୍ରତିଥର କିଛି ନା କିଛି ନୂଆ କଥା ଶିଖିବାକୁ ପାଇଛୁ ।’ ବୋଲି ଏକ ସାକ୍ଷାତକାର ଅବସରରେ କହିଛନ୍ତି ଅଶ୍ୱିନ । ଭରତୀୟ ଦଳ ଏହି ମ୍ୟାଚ୍ରେ କଚଟି ସ୍ପିନର କୁଲଦୀପ ଯାଦବଙ୍କ ସ୍ଥାନରେ ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ ନେଇଛି । ତେବେ ଅନ୍ୟତମ ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ଚମତ୍କାର କ୍ରିକେଟ୍ ଖେଳୁଥିବାରୁ ଚୂଡ଼ାନ୍ତ ଭାରତୀୟ ଦଳରେ ଅକ୍ଷର ସ୍ଥାନ ପାଇବାର ସମ୍ଭାବନା କମ୍ ରହିଛି । ଭାରତ ଭଳି ଶ୍ରୀଲଙ୍କା ଖେଳିଥିବା ତିନିଟି ଗୋଲାପି ବଲ୍ ଟେଷ୍ଟ୍ରୁ ଦୁଇଟିରେ ବିଜୟୀ ହୋଇଥିଲା ବେଳେ ଗୋଟିକରେ ପରାଜିତ ହୋଇଛି । ଉଭୟ ଦଳ ଏବେ ପ୍ରାୟତଃ ସମାନ ସ୍ତରରେ ରହିଛନ୍ତି । ମୋହାଲିରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ୍ରେ ଶୋଚନୀୟ ପରାଜୟ ବରଣ କରିଥିବା ଶ୍ରୀଲଙ୍କା ବେଙ୍ଗାଲୁରୁ ଟେଷ୍ଟ୍ରେ ଦ୍ରୁତ ବୋଲର ଲାହିରୁ କୁମାରଙ୍କ ସେବାରୁ ବଂଚିତ ହେବ । ମୋହାଲି ଟେଷ୍ଟ୍ରେ ଆହତ ହୋଇଥିଲେ ସେ ।
