ଆଜିଠୁ ମିଳିବ ମା’ ସମଲେଶ୍ୱରୀଙ୍କ ଦର୍ଶନ
- କୋଭିଡ୍ ଗାଇଡଲାଇନ୍ ଅନୁସାରେ ସମ୍ବଲପୁର ଜିଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବ
ସମ୍ୱଲପୁର : ମହାମାରୀ କୋଭିଡ ସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କ ନୂଆ ଗାଇଡ୍ଲାଇନ୍ ଜାରି ହୋଇଛି । ରାଜ୍ୟରେ ଆରମ୍ଭ ହୋଇଛି ଅନଲକ୍ ପର୍ଯ୍ୟାୟ । ଫଳରେ ଦୀର୍ଘଦିନ ଧରି ବନ୍ଦ ରହିଥିବା ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଗୁଡିକ ବର୍ତ୍ତମାନ ପର୍ଯ୍ୟାୟରେ ଧିରେ ଧିରେ ଖୋଲିବା ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ପର୍ଯ୍ୟଟକଙ୍କ ପାଇଁ ଖୁସିଖବର । କୋଭିଡ୍ ଗାଇଡଲାଇନ୍ ଅନୁସାରେ ଆଜିଠାରୁ ସମ୍ବଲପୁର ଜିଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବ । ଏଥିସହିତ ମା’ ସମଲେଶ୍ୱରୀଙ୍କ ମନ୍ଦିର ମଧ୍ୟ ଖୋଲିବ । ତେବେ ବିଶୋଧନ ଓ ରକ୍ଷଣାବେକ୍ଷଣ ପାଇଁ ପ୍ରତ୍ୟେକ ସୋମବାର ଧର୍ମାନୁଷ୍ଠାନ ଗୁଡ଼ିକ ଭକ୍ତଙ୍କ ପାଇଁ ବନ୍ଦ ରହିବ। ସେହିପରି ଭିଡ଼ ନିୟନ୍ତ୍ରଣ ଓ ଶୃଂଖଳା ରକ୍ଷା ପାଇଁ ମାଁ ସମଲେଶ୍ୱରୀ ମନ୍ଦିର କମିଟି ପକ୍ଷରୁ ନିର୍ଦ୍ଦିଷ୍ଟ ସମୟ ନିର୍ଘଣ୍ଟ ଜାରି ହୋଇଛି। ସକାଳୁ ୬ରୁ ଦିନ ୧୧.୩୦ ଓ ଅପରାହ୍ନ ୩ଟାରୁ ୭.୩୦ ଯାଏଁ ଦର୍ଶନ ପାଇଁ ଭକ୍ତଙ୍କୁ ଅନୁମତି ଦିଆଯିବ । ଧର୍ମାନୁଷ୍ଠାନ ପରିସରରେ ଛେପ ପକାଇବା, ସେ ଭିତରେ ବସିବା ବା ଅଧିକ ସମୟ ରହିବା, କୌଣସି ମୂର୍ତ୍ତିକୁ ଛୁଇଁବା, କୌଣସି ପୂଜା ସାମଗ୍ରୀ ଧର୍ମାନୁଷ୍ଠାନ ଭିତରକୁ ନେବା ବା ପରିସର ଭିତରେ ପ୍ରସାଦ ସେବନ କରିବାକୁ ବାରଣ କରାଯାଇଛି।
ରବିବାର ଜିଲ୍ଲା ପ୍ରଶାସନ, ବିଭିନ୍ନ ଧର୍ମାନୁଷ୍ଠାନର ପ୍ରତିନିଧି, ସହରର ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକ ମାନଙ୍କ ବୈଠକରେ ଏ ସଂପର୍କରେ ସର୍ବସମ୍ମତ ନିଷ୍ପତ୍ତି ହୋଇଛି। ବୈଠକର ନିଷ୍ପତ୍ତି ଅନୁଯାୟୀ ଧର୍ମାନୁଷ୍ଠାନ ଖୋଲିବା ତଥା ଭକ୍ତମାନେ ଧର୍ମାନୁଷ୍ଠାନକୁ ଯିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଏସ୍ଓପି ଜାରି କରା ଯାଇଛି। ଜଟିଳ ବ୍ୟାଧିଗ୍ରସ୍ତ, ୬୫ ବର୍ଷରୁ ଅଧିକ ଓ ୧୦ ବର୍ଷରୁ କମ୍ ବୟସ୍କ ତଥା ଗର୍ଭବତୀଙ୍କୁ ଧର୍ମାନୁଷ୍ଠାନକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଏସ୍ଓପି ଅନୁଯାୟୀ କଣ୍ଟେନମେଣ୍ଟ ଜୋନରେ ଥିବା କୌଣସି ଧର୍ମାନୁଷ୍ଠାନ ଖୋଲିବ ନାହିଁ। ଲୋକେ ଗୋଟିଏ ପ୍ରବେଶ ପଥ ଦେଇ ଧର୍ମାନୁଷ୍ଠାନରେ ପ୍ରବେଶ କରି ଗୋଟିଏ ପ୍ରସ୍ଥାନ ପଥରେ ବାହାରି ଯିବେ। ଅନ୍ୟ ସମସ୍ତ ଦ୍ବାର ବନ୍ଦ ରହିବ। ଭକ୍ତଙ୍କ ପାଇଁ ମାସ୍କ ପିନ୍ଧିବା, ୬ ଫୁଟ୍ ଦୂରତା ରକ୍ଷା କରିବା, ହାତ ବିଶୋଧନ କରିବା ବାଧ୍ୟତାମୂଳକ ହେବ। ପ୍ରବେଶ ପଥରେ ତାପମାତ୍ରା ପରୀକ୍ଷା ହେବ। ପ୍ରତ୍ୟେକ ଧର୍ମାନୁଷ୍ଠାନ ପ୍ରବେଶ ପଥରେ ଲୋକଙ୍କୁ ଧାଡ଼ିରେ ଛିଡ଼ା ହେବା ପାଇଁ ୬ ଫୁଟ୍ ଦୂରତାରେ ଚିହ୍ନ କରାଯିବ। ପୂଜକ ମାନଙ୍କ ନିୟମିତ ଡାକ୍ତରୀ ପରୀକ୍ଷା ହେବ। କୌଣସି ଲକ୍ଷଣ ନଥିବା ବ୍ୟକ୍ତିକୁ ହିଁ ଧର୍ମାନୁଷ୍ଠାନକୁ ପ୍ରବେଶ ଅନୁମତି ମିଳିବ।
