ସିଦ୍ଧେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି ମା’ କଟକଚଣ୍ଡୀ
କଟକ : ଶକ୍ତି ପୀଠ ଗୁଡିକରେ ଚାଲିଛି ଶାରଦୀୟ ପାର୍ବଣ ପୂଜା । ସମ୍ପୂର୍ଣ୍ଣ ରୀତିନୀତିର ସହ ଷୋଡଶ ଉପଚାରରେ ପୂଜା କରାଯାଉଥିବା ବେଳେ ପ୍ରତିଦିନ ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି ମା’ । ଅନ୍ୟ ପୀଠ ଭଳି ମା’ କଟକ ଚଣ୍ଡୀଙ୍କ ପୀଠରେ ମା’କର ବିଭିନ୍ନ ବେଶ କରାଯାଉଛି ।
ଗତ ମଙ୍ଗଳବାର ସନ୍ଧ୍ୟାରୁ ମା’ ସିଦ୍ଧେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି । ବୁଧବାର ସନ୍ଧ୍ୟାରୁ ଉଗ୍ରତାରା ବେଶରେ ଦର୍ଶନ ଦେବେ । ଦଶହରା ପର୍ଯ୍ୟନ୍ତ ମା’ କଟକ ଚଣ୍ଡୀ ୧୬ଟି ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେବେ । ସେହିପରି ମା’ ଗଡ଼ଚଣ୍ଡୀ କମଳା ବେଶରେ ଦର୍ଶନ ଦେଉଛନ୍ତି । ମୂଳାଷ୍ଟମୀରୁ ମାଆଙ୍କର ପୂଜା ଓ ବେଶ ଆରମ୍ଭ ହୋଇଯାଇଛି । ସେପଟେ ମା’ଙ୍କ ପୂଜା ପାଇଁ ବିଭିନ୍ନ ପୂଜା ମଣ୍ଡପରେ ମଧ୍ୟ ଜୋରଦାର ପ୍ରସ୍ତୁତି କରାଯାଉଛି । ରାଜଧାନୀର ବିଭିନ୍ନ ମଣ୍ଡପରେ ଏଥର ଧୁମଧାମରେ ମା’ଙ୍କ ପୂଜା କରିବା ପାଇଁ କମିଟି ପକ୍ଷରୁ ଲାଗି ପଡ଼ିଛନ୍ତି । ପୁରୁଣା ଷ୍ଟେସନ୍ ବଜାରରେ ମଧ୍ୟ ତୋରଣ ନିର୍ମାଣ କାମ ଜୋରସୋରରେ ଆଗେଇ ଚାଲିଛି । ଏଥର ଷ୍ଟେସନ୍ ବଜାରରେ ବାରଣାସୀ ଗଙ୍ଗା ଘାଟର ଝଲକ ଦେଖିବାକୁ ମିଳିବ ।
