ଆସନ୍ତାକାଲି ଠାରୁ ଖୋଲିବ ମା’ ବିରଜାଙ୍କ ମନ୍ଦିର
- ସେବାୟତଙ୍କ ହେବ କୋଭିଡ୍ ପରୀକ୍ଷା, ଯାଜପୁର ଜିଲାର ଅନ୍ୟ ସମସ୍ତ ମନ୍ଦିର ଖୋଲିବାକୁ ଅନୁମତି
ଯାଜପୁର : ଆସନ୍ତାକାଲି ବୁଧବାର ଠାରୁ ଖୋଲିବ ଯାଜପୁରର ପ୍ରସିଦ୍ଧ ଦେବୀ ପୀଠ ମା ବିରଜା ମନ୍ଦିର । କୋଭିଡ଼୍ ଗାଇଡ଼୍ ଲାଇନକୁ ଅନୁପାଳନ କରି ମାଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଯାଜପୁର ଜିଲାପାଳ ଚକ୍ରବର୍ତୀ ସିଂହ ରାଠୋର ଏହି ସୂଚନା ଦେଇଛନ୍ତି । ମୁହଁରେ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତା ରକ୍ଷା କରି ଭକ୍ତ ମାନେ ମା ବିରଜାଙ୍କ ଦର୍ଶନ କରିପାରିବେ ।
ସେହିପରି ଜିଲାର ଅନ୍ୟ ମନ୍ଦିରଗୁଡ଼ିକ ମଧ୍ୟ ଖୋଲିବ ବୋଲି ଜଣାପଡ଼ିଛି। କରୋନା କଟକଣା ପାଇଁ ଗତ ମେ ୫ ତାରିଖରୁ ସରକାର ମନ୍ଦିରରେ ସାଧାରଣ ଦର୍ଶନକୁ ବନ୍ଦ ରଖିଥିଲେ। ବର୍ତ୍ତମାନ ଲକ୍ଡାଉନ କୋହଳ ହୋଇଥିବା ବେଳେ ଜୀବନଜୀବିକାକୁ ଦୃଷ୍ଟିରେ ରଖି ମନ୍ଦିର ଖୋଲିବ କି ନାହିଁ, ସେ ସଂକ୍ରାନ୍ତ ନିଷ୍ପତ୍ତି ସଂପୃକ୍ତ ଜିଲ୍ଲାପାଳଙ୍କ ଉପରେ ସରକାର ନ୍ୟସ୍ତ କରିଥିଲେ। ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋରଙ୍କ ନିର୍ଦେଶ ଅନୁସାରେ ଜିଲାର ତହସିଲଦାର ଓ ଆଇଆଇସିମାନେ ନିଜନିଜ ଅଞ୍ଚଳରେ ଥିବା ବିଭିନ୍ନ ମନ୍ଦିରକୁ ଯାଇ ସେଠାକର ପୂଜକ ଓ ଟ୍ରଷ୍ଟ ବୋର୍ଡ ସହ ଆଲୋଚନା କରିବେ। କରୋନା କଟକଣା ପାଳନ କରିବାକୁ ବୁଝାଇବା ପାଇଁ କୁହାଯାଇଛି । ଅନ୍ୟପଟେ ମା’ ବିରଜା ମନ୍ଦିରକୁ ରାଜ୍ୟ ତଥା ବାହାରୁ ଭକ୍ତ ଆସୁଥିବାରୁ ସେବାୟତଙ୍କ କୋଭିଡ୍ ଟେଷ୍ଟ ପାଇଁ ଅନୁରୋଧ କରିଥିଲେ। ଆସନ୍ତା ଦିନେ/ଦୁଇଦିନ ମଧ୍ୟରେ ସେବାୟତମାନଙ୍କ କୋଭିଡ୍ ପରୀକ୍ଷା କରାଯିବ ବୋଲି ଜିଲାପାଳ କହିଛନ୍ତି।
