ଖୋଲିଲା ମା’ ବିରଜା ମନ୍ଦିର
- କେବଳ ଦର୍ଶନ, ବେଢା ପରିକ୍ରମା ମନା
ଯାଜପୁର : ଦୀର୍ଘଦିନ ପରେ ଖୋଲିଲା ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର । କୋଭିଡ଼୍ ଗାଇଡ଼୍ ଲାଇନକୁ ଅନୁପାଳନ କରି ମାଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ମୁହଁରେ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତା ରକ୍ଷା କରି ଭକ୍ତ ମାନେ ମା’ ବିରଜାଙ୍କ ଦର୍ଶନ କରିପାରିବେ । ମାତ୍ର ବେଢା ପରିକ୍ରମା ମନା ରହିଛି ।
ଧିରେ ଧିରେ କୋଭିଡ ନିୟନ୍ତ୍ରଣକୁ ଆସିବା ପରେ ସରକାର ମନ୍ଦିର ଖୋଲିବା ନିଷ୍ପତ୍ତି ଜିଲାପାଳଙ୍କୁ ଦାୟିତ୍ୱ ଦେଇଥିଲେ । ସେପଟେ ଦୀର୍ଘଦିନ ଧରି ମନ୍ଦିର ବନ୍ଦ ରହିବା ଫଳରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଦୂରତ୍ୱ ବଢିଯାଇଥିଲା । ମା’ଙ୍କ ମନ୍ଦିର ଖୋଲିବାକୁ ନେଇ ବେଶ ଖୁସି ଅଛନ୍ତି ଶ୍ରଦ୍ଧାଳୁ । ସେପଟ ମାଙ୍କ ବେଢା ପରିସରରେ ବିବାହ କାର୍ଯ୍ୟକୁ ମଧ୍ୟ ବାରଣ କରିଛି ଜିଲ୍ଲା ପ୍ରଶାସନ । କରୋନା ପାଇଁ ଭକ୍ତଙ୍କ ଦର୍ଶନ ବନ୍ଦ ଥିବା ବେଳେ ଆଜି ଠାରୁ ମାଙ୍କ ସାଧାରଣ ଦର୍ଶନ ଆରମ୍ଭ ହୋଇଛି । ସକାଳ ୬ ଟାରୁ ରାତ୍ରି ୮ ଟା ପର୍ଯ୍ୟନ୍ତ ଭକ୍ତମାନେ ମାଙ୍କ ଦର୍ଶନ କରିପାରିବେ । ଏଥିପାଇଁ ବ୍ୟାପକ ବ୍ୟବସ୍ଥା ହୋଇଥିବା ବେଳେ ଅନେକ କଟକଣା ଜାରି କରାଯାଇଛି । ଉଭୟ ପୁରୁଷ ଓ ମହିଳା ଶ୍ରଦ୍ଧାଳୁ ଭିନ୍ନଭିନ୍ନ ଧାଡିରେ ଆସି ମାଙ୍କ ଚଣ୍ଡି ମଣ୍ଡପରୁ ବିରଜାଙ୍କ ଦର୍ଶନ କରିବେ ଏବଂ ସିଧା ବାହାରକୁ ପ୍ରସ୍ଥାନ କରିବେ । ମନ୍ଦିର ପରିସରରେ କୌଣସି ଭକ୍ତଙ୍କୁ ରହିବାର ସୁଯୋଗ ଦିଆଯିବ ନାହିଁ । ଆସୁଥିବା ଭକ୍ତ ମାନେ ମା’ଙ୍କ ପାଖରେ କୌଣସି ଭୋଗ ଲଗାଇପାରିବେ ନାହିଁ । ଭକ୍ତମାନଙ୍କ ଶାନ୍ତିପୂର୍ଣ୍ଣ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି ।


