ରାଜରାଜେଶ୍ୱରୀ ବେଶରେ ପୂଜା ପାଇଲେ ମା’ ଭଦ୍ରକାଳୀ
ଭଦ୍ରକ : ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀ ସପ୍ତମାତୃକା ବେଶର ତୃତୀୟ ଦିନରେ ରାଜରାଜେଶ୍ୱରୀ ବେଶରେ ପୂଜା ପାଇଛନ୍ତି । ମା’ଙ୍କର ଏହି ବେଶକୁ ଦର୍ଶନ କରିବା ପାଇଁ ପୀଠରେ ସକାଳୁ ଭକ୍ତମାନଙ୍କର ଲମ୍ବା ଧାଡ଼ି ଲାଗିଥିଲା । ମା’ଙ୍କର ମୁଖମଣ୍ଡଳ ପଦ୍ମବର୍ଣ୍ଣ ଥିବା ବେଳେ ଚତୁର୍ହସ୍ତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମକୁ ଧାରଣ କରି ଚତୁର୍ଦ୍ଧା ମୂର୍ତିରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ । ମା’ ନାଲି ପାଟବସ୍ତ୍ର ପରିଧାନ କରି ସ୍ୱର୍ଣ୍ଣ ଓ ରୌପ୍ୟ ଅଳଙ୍କାରରେ ସଜ୍ଜିତ ହୋଇଥିଲେ । ରାଜରାଜେଶ୍ୱରୀ ବେଶରେ ଦର୍ଶନ କଲେ ଭକ୍ତ କର୍ମକ୍ଷେତ୍ରରେ ବିଜୟୀ ହେବା ସହ ଉଚ୍ଚ ପଦ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ କରାଯାଏ । ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞରର ଆହୂତି ଓ ପୂଜା, ରୀତି ନୀତି ଚାଳୁ ରହିଚି । ଗୀତା ପାଠ, ଚଣ୍ଡୀ ପାଠ, ବେଦ ପାଠ, ନାମ ସଂକୀର୍ତନ ମଧ୍ୟରେ ଏକ ନିଆରା ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଚତୁର୍ଥ ଦିନରେ ମା’ଙ୍କର ସିଂହବାହିନୀ ବେଶ ନିମନ୍ତେ ମନ୍ଦିର ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ଚଳିତ ବର୍ଷ ପୀଠରେ ଆକର୍ଷଣୀୟ ସାଜସଜ୍ଜା ଭକ୍ତମାନଙ୍କୁ ଆକୃଷ୍ଟ କରି ପାରିଛି ।
