ଲୋକମାନ୍ୟ ତିଲକ ଏକ୍ସପ୍ରେସ୍ ଲାଇନଚ୍ୟୁତ
ମୁମ୍ବାଇ : ଲାଇନଚ୍ୟୁତ ହେଲା ଲୋକମାନ୍ୟ ତିଲକ ଏକ୍ସପ୍ରେସ୍ । ରବିବାର ଅପରାହ୍ନ ୩ଟା ୧୦ ମିନିଟ ସମୟରେ ଲୋକମାନ୍ୟ ତିଲକ ଟର୍ମିନିୟସ୍ (ଏଲଟିଟି)-ଜୟନଗର ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଛି। ମହାରାଷ୍ଟ୍ରର ନାସିକ ନିକଟସ୍ଥ ଲାହଭିଟ୍ ଏବଂ ଦେବଲାଲି ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ପାଖାପାଖି ୧୦ଟି କୋଚ୍ ଟ୍ରାକ ବାହାରକୁ ଖସିଯାଇଛି। ଘଟଣାସ୍ଥଳକୁ ରିଲିଫ୍ ଟ୍ରେନ୍ ଏବଂ ମେଡିକାଲ ଭ୍ୟାନ୍ ପଠାଯାଇଥିବା କେନ୍ଦ୍ରୀୟ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି।
ଦୁର୍ଘଟଣା ଯୋଗୁ କେତେକ ଟ୍ରେନ୍ର ଗତିପଥ ବଦଳାଯାଇଛି। ସେହିପରି କେତେକ ଟ୍ରେନ୍କୁ ବାତିଲ କରାଯାଇଛି। ତେବେ ଦୁର୍ଘଟଣାରେ କାହାରି ମୃତ୍ୟୁ ଘଟିଥିବା ସୂଚନା ମିଳି ନାହିଁ। ତେବେ ଟ୍ରାକ୍ ଉପରେ ଏକ ମୃତ ଦେହ ପଡ଼ିଥିବା କିଛି ଗଣମାଧ୍ୟମରେ ଦର୍ଶାଯାଇଛି। କିନ୍ତୁ ଏହି ମୃତ ବ୍ୟକ୍ତି ବାହାର ଲୋକ ଅର୍ଥାତ ସେ ଉକ୍ତ ଟ୍ରେନ୍ର ଯାତ୍ରୀ ହୋଇ ନଥିବା ସନ୍ଦେହ କରାଯାଉଛି। ଏହି ମୃତ ଦେହଟି ଟ୍ରେନ୍ ଲାଇନଚ୍ୟୁତ ହେବା ପୂର୍ବରୁ ସେଠାରେ ପଡ଼ିଥିବା କେନ୍ଦ୍ରୀୟ ରେଲୱେର ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ ଶିଭାଜୀ ସୂତାର କହିଛନ୍ତି। ତେବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଯାତ୍ରୀଙ୍କ ସୁବିଧା ପାଇଁ ସେଠାରେ ବସ୍ ବ୍ୟବସ୍ଥା କରାଯାଇ ଥିବା ଶିଭାଜୀ ସୂତାର କହିଛନ୍ତି।
